ଚନ୍ଦ୍ରଯାନ-୨: ମିଳିପାରେ ଲାଣ୍ଡର ବିକ୍ରମର ପତ୍ତା

ନୂଆଦିଲ୍ଲୀ: ମିଶନ୍‌ ଚନ୍ଦ୍ରଯାନ-୨କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମକୁ ଠାବ କରିବାରେ ବିଫଳ ହୋଇଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପୁଣିଥରେ ଲାଣ୍ଡର ବିକ୍ରମକୁ ଖୋଜିବ।

ନାସା ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯିବା ପରେ ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଲାଣ୍ଡର ବିକ୍ରମର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ପୁଣିଥରେ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖା ଦେଇଛି।

ପୁଣିଥରେ ନାସାର Lunar Reconnaissance Orbiter (LRO) ସେଇ ସ୍ଥାନ ଦେଇ ଗତି କରିବ ଯେଉଁ ସ୍ଥାନରେ ଲାଣ୍ଡର ବିକ୍ରମ ପଡ଼ିଥିବା ସନ୍ଦେହ କରାଯାଉଛି। ଫଳରେ ଖୁବ୍‌ ଶୀଘ୍ର ଲାଣ୍ଡର ବିକ୍ରମ ସମ୍ପର୍କରେ ଜଣାପଡ଼ିବ ବୋଲି ସୂଚନା ମିଳିଛି।

ସେପ୍ଟେମ୍ବର ୧୭ ତାରିଖରେ ନାସାର LRO ଲାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନ ଦେଇ ଗତି କରିଥିଲା। ଏପରିକି ସେଇ ସ୍ଥାନରେ ଫଟୋ ମଧ୍ୟ ଉଠାଇଥିଲା। ହେଲେ ଲାଣ୍ଡରକୁ ଠାବ କରି ପାରି ନ ଥିଲା। ଯେତେବେଳେ ଲାଣ୍ଡର ବିକ୍ରମ ଲାଣ୍ଡିଂ କରିଥିବା ସ୍ଥାନ ଦେଇ ଅର୍ବିଟର ଗତି କରିଥିଲା ସେଇ ସମୟରେ ଅନ୍ଧାର ମାଡ଼ି ଆସିଥିଲା ଓ ଅଧିକାଂଶ ଭାଗ ଛାୟା ଭିତରେ ଲୁଚି ଯାଇଥିଲା। ଏହି ଲୁକ୍‌କାୟତ ଛାୟା ଭିତରେ ଲାଣ୍ଡର ବିକ୍ରମ ରହି ଯାଇଥିବ ବୋଲି ନାସା କହିଥିଲା।

ଏବେ ପୁଣିଥରେ ଅର୍ବିଟର ଏହି ସ୍ଥାନ ଦେଇ ଗତି କରିବ ତା’ପରେ ଲାଣ୍ଡର ବିକ୍ରମର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ହୋଇପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି।

ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମ ସଫ୍ଚ ଲ୍ୟାଣ୍ଡିଂ କରିବାକୁ ଯାଇ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ନାସା ଜାରି କରିଥିବା ଫଟୋ ଅନୁଯାୟୀ ଏକ ଆବଡ଼ା ଖାବଡ଼ା ସ୍ଥାନ କିମ୍ୱା ପଥୁରିଆ ଜାଗାରେ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଥିବା ଦେଖିବାକୁ ମିଳିଥିଲା। ଚନ୍ଦ୍ର ଚାରିପଟେ ଘୁରି ବୁଲୁଥିବା ଅର୍ବିଟରର ଥର୍ମାଲ ଫଟୋ ଜରିଆରେ ନାସା ଏହି ଫଟୋ ଜାରି କରିଥିଲା।

You might also like