’ମୋ ବାପାଙ୍କୁ ଗୋଟିଏ ବେଡ଼୍ ଦିଅ, ନହେଲେ ମାରି ଦିଅ’

ମୁମ୍ବାଇ : ମୋ ବାପାଙ୍କୁ ଗୋଟିଏ ବେଡ଼୍ ଦିଅ, ନହେଲେ ମାରି ଦିଅ । ଆମ୍ବୁଲାନ୍ସରେ ପଡ଼ି ପଡ଼ି ମୃତ୍ୟୁକୁ ଅପେକ୍ଷା କରିଥିବା ବାପାକୁ ବଞ୍ଚାଇବାକୁ କାନ୍ଦି କାନ୍ଦି ଗୁହାରୀ ଜଣାଉଛି ଅସହାୟ ପୁଅ । କରୋନା ସଂକ୍ରମଣରେ ଅଣନିଶ୍ୱାସୀ ହୋଇଯାଉଥିବା ବାପାଙ୍କୁ ହସ୍ପିଟାଲରୁ ହସ୍ପିଟାଲକୁ ନେଇ ଥକିଗଲେଣି ଯୁବକ, କୋଉଠି ହେଲେ ବେଡ଼ ଗୋଟିଏ ମିଳୁନି । ବୋଉ ସିଆଡ଼ୁ ଫୋନ୍ କରି କରି ଅଥୟ କରିଦେଉଛି । ହେଲେ ଅଭାଗା ପୁଅ ବାପା ବିଷୟରେ ବୋଉକୁ ସତ କହିପାରୁନି । ଚାରିଆଡ଼େ କରୋନା ରୋଗୀ । ମାତ୍ର ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ତେଲେଙ୍ଗାନା, ଆଉ ସେଠାରେ ଗୋଟି ଗୋଟି ହସ୍ପିଟାଲରେ ଚକ୍କର କାଟି କାଟି ଥକି ଗଲେଣି, ତଥାପି ବାହାରେ ଆମ୍ବୁଲାନ୍ସରେ ପଡ଼ି ରହିଛନ୍ତି ବାପା । ଶେଷରେ ବାପାଙ୍କ ଅସହ୍ୟ ବେଦନାକୁ ଦେଖି,  ତାଙ୍କୁ ମାରିଦିଅ ବୋଲି କହିଛନ୍ତି ଚନ୍ଦ୍ରପୁରର ଯୁବକ ।

ମହାରାଷ୍ଟ୍ର ନିବାସୀ କିଶୋରଙ୍କ ବାପା ଅଦୃଶ୍ୟ ଭାଇରସରେ କବଳିତ ହୋଇ ଛଟପଟ ହେଉଛନ୍ତି । ଦେହରୁ ତାତି ଛାଡ଼ୁନି, ବୁଢ଼ା ମଣିଷଟା ଆମ୍ବୁଲାନ୍ସରେ ପଡ଼ି ପଡ଼ି ପିଠିର ମଳିଚମଡ଼ା ଛାଡ଼ିଗଲାଣି । ବାପାଙ୍କ ଯନ୍ତ୍ରଣା ପୁଅ ଦେଖିପାରୁନି । ଗୋଡ ହାତ ବାଡ଼େଇ ଛାଟିପିଟି ହେଉଥିବା ମଣିଷଟାକୁ ଦେଖି ପୁଅ ହୋଇଥିବାରୁ ନିଜକୁ ଧିକ ମଣୁଛନ୍ତି କିଶୋର । ହେଲେ ତାଙ୍କ ପାଖରେ କିଛି ଉପାୟ ନାହିଁ । ମହାରାଷ୍ଟ୍ରରେ ବେଡ ନମିଳିବାରୁ କେତେ ଆଶା ନେଇ ବାପାଙ୍କୁ ଧରି ୮୫୦କିମି ଦୂର ତେଲେଙ୍ଗାନାରେ ପହଞ୍ଚିଥିଲେ । ହେଲେ ସେଠାରେ ବି ରାତି ସାରା ଚକ୍କର କାଟି କାଟି ଥକିଗଲେ ସିନା ରୋଗିଣା ବାପାକୁ ଆଡମିଟ୍ କରିବାକୁ ଗୋଟିଏ ହେଲେ ବେଡ ମିଳିଲାନି । ବରଂ ରୋଗୀ ସଂଖ୍ୟା ଅଚାନକ ବଢ଼ିଯିବାରୁ, ହସ୍ପିଟାଲ ୨୪ ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି ।

ସାଗର ମିଡ଼ିଆ ସହ କଥା ହୋଇ କହିଛନ୍ତି, ଦୁଇ ପହରରୁ ଚକ୍କର କାଟୁଛି । ପ୍ରଥମେ ଚନ୍ଦ୍ରପୁରର ବରୋରା ହସ୍ପିଟାଳ ପହଞ୍ଚି ବାପାଙ୍କୁ ଆଡମିଟ୍ କରିବା ପାଇଁ ନେହୁରା ହୋଇଥିଲେ । ହେଲେ ସେଠାରେ କରୋନା ରୋଗୀ ସଂଖ୍ୟା ଏତେ ଯେ ଛିଡ଼ା ହେବାକୁ ବି ଜାଗା ନାହିଁ । ତେଲେଙ୍ଗାନାର ଅନେକ ଘରୋଇ ହସ୍ପିଟାଲ ବୁଲି ବୁଲି ଥକିଗଲେଣି, କେହି ଆଡମିଟ୍ କରିବାକୁ ରାଜି ହେଉନାହାନ୍ତି । ଶେଷରେ ସକାଳ  ସୁଦ୍ଧା ପୁଣି ମହାରାଷ୍ଟ୍ର ଫେରିଯାଇଛନ୍ତି । ଏବେ ତାଙ୍କ ବାପା ଆମ୍ବୁଲାନ୍ସରେ ଥାଇ ମୃତ୍ୟକୁ ଅପେକ୍ଷା କରିଛନ୍ତି ।

ତାଙ୍କ ବାପା ଆମ୍ବୁଲାନ୍ସରେ ଛାଟିପିଟି ହେଉଥିବା ବୁଢ଼ା ବାପାଙ୍କୁ ଦେଖି ପୁଅ ମନ ରହୁନି । ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ସମୟ ବିତାଇବା ପରେ ବର୍ତ୍ତମାନ  ବାପାଙ୍କ ଅମ୍ଳଜାନ ଶେଷ ହେବା ଉପରେ । ବାପାଙ୍କୁ ବଞ୍ଚାଇବାର କୌଣସି ବାଟ ଦେଖା ଯାଉନଥିବାରୁ ସାଗର କହିଛନ୍ତି ମୋ ବାପାଙ୍କୁ ଏକ ଶଯ୍ୟା ଦିଅ କିମ୍ବା ତାଙ୍କୁ ଇଞ୍ଜେକ୍ସନ ଦେଇ ମାରିଦିଅ । ମୁଁ ତାଙ୍କୁ ଏପରି ଅବସ୍ଥାରେ ଘରକୁ ନେଇ ପାରିବି ନାହିଁ ।

You might also like