ରାସ୍ତା ଉପରେ ଧସିଲା ପାହାଡ଼, ବିପଦକୁ ଖାତିର୍‌ ନ କରି ଭିଡିଓ କଲେ ଲୋକେ

ଚମୋଲି: ଉତ୍ତରାଖଣ୍ଡର ଚାମୋଲିରେ ମୌସୁମୀ ସହ ଆରମ୍ଭ ହୋଇ ଯାଇଛି ପ୍ରାକୃତିକ ବିପର୍ଯ୍ୟୟ।  ଚାମୋଲିର ପିପଲକୋଟି ନିକଟରେ ଏକ ଭୂସ୍ଖଳନ ହୋଇଛି। ଫଳରେ ୭ ନମ୍ବର ଜାତୀୟ ରାଜପଥ  ବନ୍ଦ ହୋଇଯାଇଛି। ଏହି ସମୟରେ ଲୋକଙ୍କ ଅବହେଳା ମଧ୍ୟ ଦେଖିବାକୁ ମିଳିଛି । ଜୀବନ ପ୍ରତି ବିପଦ ସତ୍ତ୍ୱେ ଲୋକେ ଭୁଶୁଡ଼ି ପଡ଼ିଥିବା ପର୍ବତର ଦୃଶ୍ୟ ଦେଖିବା ତଥା ସେଲ୍‌ଫି ନେବା ଏବଂ ଭିଡିଓ ରେକର୍ଡିଂ କରୁଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ମଧ୍ୟ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଉତ୍ତରାଖଣ୍ଡରେ ବର୍ଷା ସମ୍ପର୍କରେ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି।

ନ୍ୟୁଜ୍ ଏଜେନ୍ସି ANI ପକ୍ଷରୁ ମଧ୍ୟ ଏକ ପୋଷ୍ଟ ଟ୍ୱିଟ୍ କରାଯାଇଛି ଯେଉଁଥିରେ ଭୂସ୍ଖଳନର ଏକ ଭିଡିଓ ସେୟାର ହୋଇଛି। ଏହି ଭିଡିଓରେ ପର୍ବତଟି ରାସ୍ତା ଉପରେ ପଡ଼ିଥିବାର ଦେଖାଯାଉଛି। ଫଳରେ ଜାତୀୟ ରାଜପଥରେ ଯାତାୟାତ ବ୍ୟାହତ ହୋଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୭୨ ଘଣ୍ଟା ପାଇଁ ଉତ୍ତରାଖଣ୍ଡରେ ସଜାଗ ରହିବାର ଆବଶ୍ୟକତା ରହିଛି। କାରଣ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ଜୁଲାଇ ୨୧ ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ରାଜ୍ୟରେ ରେଡ ଆଲର୍ଟ ଜାରି କରାଯାଇଛି।

ଉତ୍ତରାଖଣ୍ଡ ପାଣିପାଗ କେନ୍ଦ୍ର ରାଜ୍ୟର ୫ଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଛି ଯେଉଁଥିରେ ଉତ୍ତରପ୍ରଦେଶ, ଚାମୋଲି, ରୁଦ୍ରପ୍ରୟାଗ, ବାଗେଶ୍ୱର, ପିଥୋରାଗଡ ରହିଛି। ଏଠାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ବିକ୍ରମ ସିଂଙ୍କ ଅନୁଯାୟୀ, ଉତ୍ତରାଖଣ୍ଡର ହିମାଳୟ ଅଞ୍ଚଳରେ ଜୁଲାଇ ୨୦ରୁ ଜୁଲାଇ ୨୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ।

You might also like