କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ୪ ରାଜ୍ୟକୁ କେନ୍ଦ୍ରର ଚେତାବନୀ
ନୂଆଦିଲ୍ଲୀ: ଦେଶର ୪ ରାଜ୍ୟରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।
କେରଳ, ମହାରାଷ୍ଟ୍ର, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ କରୋନା କଟକଣା ଲାଗୁ କରିବା ସହ ଏଦିଗରେ ଧ୍ୟାନ ଦେବାକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ। ଏହି ୪ ରାଜ୍ୟର ଶାସନ ସଚିବଙ୍କୁ ଏହି ଚିଠି ଲେଖାଯାଇଛି। ରାଜ୍ୟରେ କରୋନା ଟେଷ୍ଟିଂକୁ ବଢ଼ାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।
ଏହି ୪ ରାଜ୍ୟରେ ଏବେ ଦେଶର ମୋଟ୍ ୫୯ ପ୍ରତିଶତ କରୋନା ଆକ୍ଟିଭ୍ କେସ୍ ରହିଛି। ତେଣୁ ‘Test-Track-Treat 3Tକୁ ଗୁରୁତ୍ୱ ଦେବାକୁ କୁହାଯାଇଛି।
ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ପରାମର୍ଶ ଦେଇଛନ୍ତି।
ସୂଚନାଥାଉ କି, କରୋନା ସଂକ୍ରମଣରେ ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଥିଲା। ମହାରାଷ୍ଟ୍ରରେ କରୋନା ଆକ୍ଟିଭ୍ କେସ୍ ପାଖାପାଖି ୫୨ ହଜାର ଥିବାବେଳେ ପାଖାପାଖି ୫୦ ହଜାର ଲୋକଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ଘଟିଛି। ଛତିଶଗଡ଼ରେ କରୋନା ଆକ୍ଟିଭ୍ କେସ୍ ୯ ହଜାର ଥିବାବେଳେ ପଶ୍ଚିମବଙ୍ଗରେ ମଧ୍ୟ ଆକ୍ଟିଭ୍ କେସ୍ ୯ ହଜାର ରହିଛି। ସେହିପରି ପଶ୍ଚିମବଙ୍ଗରେ କରୋନା ମୃତ୍ୟୁ ସଂଖ୍ୟା ପାଖାପାଖି ୧୦ହଜାରରରେ ପହଞ୍ଚିଛି। ସେହିପରି ଛତିଶଗଡ଼ରେ କରୋନା ମୃତ୍ୟୁ ସଂଖ୍ୟା ପାଖାପାଖି ୩ହଜାର ୫୦୦ରେ ପହଞ୍ଚିଛି।
ଅନ୍ୟପକ୍ଷରେ, ଚାଇନା ପରେ ଏବେ ବ୍ରିଟେନ୍ରୁ ଆସିଥିବା ନୂଆ କରୋନା ଭାଇରସ୍ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭oରୁ ଅଧିକ ବ୍ରିଟେନ୍ ଭ୍ୟାରିଏଣ୍ଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ୭୧ ସାର୍ସ କୋଭ୍-୨ ଭାଇରସ ଚିହ୍ଟଟ ହୋଇଥିଲା ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ପୁଣି ୨୪ ଘଣ୍ଟାରେ ଆଉ ଦୁଇ ଜଣ ଚିହ୍ନଟ ହୋଇଥିଲେ।
କରୋନା ନୂଆ ଭାଇରସ୍କୁ ରୋକିବାକୁ ବ୍ୟାପକ ମାତ୍ରାରେ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ବ୍ରିଟେନ୍ ଫେରନ୍ତାଙ୍କ ସହିତ ଯାତ୍ରା କରିଥିବା ସହଯାତ୍ରୀ, ପରିବାର ସଦସ୍ୟ ଏବଂ ଅନ୍ୟମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।
ଭାରତରେ ବ୍ରିଟେନ୍ ଭ୍ୟାରିଏଣ୍ଟର ଚିହ୍ନଟ ହେବା ପରେ ଦେଶବାସୀ ଚିନ୍ତାରେ ପଡ଼ିଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ଗତ ସପ୍ତାହରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ।
ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ଦେଶରେ କରୋନାର ବ୍ରିଟେନ୍ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି। ଏହି ଦେଶଗୁଡ଼ିକ ହେଲା- ଡେନ୍ମାର୍କ, ନେଦରଲ୍ୟାଣ୍ଡ, ଅଷ୍ଟ୍ରାଲିଆ, ଇଟାଲୀ, ସ୍ୱିଡେନ୍, ଫ୍ରାନ୍ସ, ସ୍ପେନ୍, ସ୍ୱିଜର୍ଲ୍ୟାଣ୍ଡ, ଜର୍ମାନୀ, କାନାଡ଼ା, ଜାପାନ, ଲେବାନନ ଓ ସିଙ୍ଗାପୁର।