ସୋସିଆଲ ମିଡିଆକୁ କେନ୍ଦ୍ରର କଡା ଚେତାବନୀ

ମନମାନି ଚଳିବ ନାହିଁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହିଂସା ଉଦ୍ରେକକାରୀ ମିଥ୍ୟା ଖବର ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ସରକାର। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାନଙ୍କୁ ଆଜି ଏଭଳି ଚେତାବନୀ ଦେଇଛନ୍ତି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଏହାସହ ସେ କହିଛନ୍ତି ଯେ, ଦେଶରେ ବ୍ୟବସାୟ କରିବାରେ କିଛି ପ୍ରତିବନ୍ଧକ ନାହିଁ, ହେଲେ ଭାରତୀୟ ସମ୍ବିଧାନ ମାନିବାକୁ ସମସ୍ତେ ବାଧ୍ୟ। ସେପଟେ ଟୁଇଟରର ଦେଶୀ ବିକଳ୍ପ ଭାବେ କୁ ଚର୍ଚ୍ଚାକୁ ଆସିଛି  ବୋଲି ଜଣାଯାଇଛି।

ଭାରତରେ ଚଳିବନି ସୋସିଆଲ୍ ମିଡିଆ ସଂସ୍ଥାଙ୍କ ଦୋମୁହାଁ ନୀତି। ଅର୍ଥାତ୍ ଏଇଠୁ ରୋଜଗାର୍ ପୁଣି ଏଇଠି ଅରାଜକତତ୍ତ୍ୱଙ୍କୁ ପ୍ରୋତ୍ସାହନ ଦେଶରେ ହିଂସା ସୃଷ୍ଟି ଲାଗି ମିଥ୍ୟା ଖବର ପ୍ରଚାର କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଆଜି ରାଜ୍ୟସଭାରେ ଏହି ଚେତାବନୀ ଦେଇଛନ୍ତି ଆଇନ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଟୁଇଟର୍, ଫେସବୁକ୍, ହ୍ୱାଟ୍ସଆପ୍ ଓ ଲିଙ୍କଡଇନର ନାଁ ନେଇ ପ୍ରସାଦ କହିଛନ୍ତି ଯେ, ଦେଶରେ ବ୍ୟବସାୟ କରିବା ଲାଗି ଆମେ ଏସବୁ ସଂସ୍ଥାଙ୍କୁ ସ୍ୱାଗତ କରୁଛୁ।

ଭାରତ ଭଳି ବୃହତ୍ ଦେଶରେ ବ୍ୟବସାୟରୁ ଏସବୁ ସଂସ୍ଥା କୋଟି କୋଟି ଡଲାର ଅର୍ଥ ବି ଉପାର୍ଜନ କରୁଛନ୍ତି। କେବଳ ରୋଜଗାର କରୁଛନ୍ତି ତାହା ନୁହେଁ ବରଂ ସେମାନଙ୍କର କୋଟି କୋଟି ଫଲୋଅର୍ ବି ଅଛନ୍ତି। ତେବେ ଏମାନେ ଦେଶର ଆଇନ ଓ ସମ୍ବିଧାନକୁ ମାନିବାକୁ ବାଧ୍ୟ। ଏହି ପ୍ଲାଟଫର୍ମର ଅପବ୍ୟବହାର ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ଚାଷୀ ଆନ୍ଦୋଳନ ଓ ଜାନୁଆରୀ ୨୬ ଲାଲକିଲ୍ଲା ହିଂସାକାଣ୍ଡ ସଂପର୍କିତ ବିଭ୍ରାନ୍ତକାରୀ ଓ ଉତ୍ତେଜନା ସୃଷ୍ଟିକାରୀ ଟୁଇଟ୍ ଥିବା ୧୩ଶହ ଆକାଉଣ୍ଟକୁ ବ୍ଲକ କରିବା ଲାଗି ଟୁଇଟରକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର। ତେବେ ମୁକ୍ତ ଇଣ୍ଟରନେଟ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଢାଲ କରି, ଏହି ନିର୍ଦ୍ଦେଶକୁ ଟୁଇଟର ଅଗ୍ରାହ୍ୟ କରିବା ପରେ ବିବାଦ ଜୋର୍ ଧରିଛି।

ଏ ଭିତରେ ଚର୍ଚ୍ଚାର ପରିସରକୁ ଆସିଛି ଟୁଇଟରର ସ୍ୱଦେଶୀ ବିକଳ୍ପ। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ୍, ରବିଶଙ୍କର ପ୍ରସାଦ ଏବଂ ଆଇଟି ମନ୍ତ୍ରଣାଳୟ ଯୋଡ଼ିହେବା ପରେ, ଲୋକପ୍ରିୟ ହେବାରେ ଲାଗିଛି ଏହି ମେଡ୍-ଇନ୍-ଇଣ୍ଡିଆ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ। ବଲଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ୍ ବି ଟୁଇଟରକୁ ବାଏ ବାଏ କରି, କୁ ଆପଣାଇବାକୁ ସଂକେତ ଦେଇସାରିଛନ୍ତି।

ଲୋକପ୍ରିୟତା ସହ କୁ’ କୁ ନେଇ ବିବାଦ ବି ବଢ଼ୁଛି। ଏହା ବ୍ୟବହାରକାରୀଙ୍କ ନାଁ, ଲିଙ୍ଗ, ଠିକଣା ଓ ଇ-ମେଲ୍ ଆଦି ତଥ୍ୟ ଲିକ୍ କରୁଥିବା ଅଭିଯୋଗ ଆଣିଛନ୍ତି ଫ୍ରାନ୍ସର ସାଇବର ସୁରକ୍ଷା ବିଶେଷଜ୍ଞ ରୋବର୍ଟ ବାପଟିଷ୍ଟେ। ତେବେ ଫରାସୀ ବିଶେଷଜ୍ଞ କରିଥିବା ଦାବିରେ ସତ୍ୟତା ରହିଛି, ନା କୁ ବ୍ୟବହାରରୁ ଲୋକଙ୍କୁ ବିରତ କରିବା ଲାଗି ଏହା ଏକ ଚାଲ୍ ତାହା ସ୍ପଷ୍ଟ ହୋଇନି। ସେପଟେ କୁ ସହ ଚୀନ୍ ନିବେଶକ ସନୱେଇ କ୍ୟାପିଟାଲର ସଂପର୍କକୁ ନେଇ ବିବାଦ ଦେଖାଦେବା ପରେ, ତାଠୁ ସମସ୍ତ ଅଂଶ କଂପାନୀ ପକ୍ଷରୁ କିଣିନିଆଉଥିବା କୁ ର ସହପ୍ରତିଷ୍ଠାତା ଅପ୍ରମେୟ ରାଧାକ୍ରିଷ୍ଣା ସ୍ପଷ୍ଟ କରିଛନ୍ତି।

 

You might also like