ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା
ନୂଆଦିଲ୍ଲୀ: ମେଡ଼ିକାଲଗୁଡ଼ିକରେ ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୯ଟି ପଏଣ୍ଟ ଉପରେ ଗୁରୁତ୍ୱ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିଠି ଲେଖିଛି।
କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ଦାୟିତ୍ୱ ତାଲିମପ୍ରାପ୍ତ ଅଧିକାରୀଙ୍କୁ ଦେବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମେଡ଼ିକାଲ୍ ପରିସରରେ ସିସିଟିଭି, ଆବଶ୍ୟକସ୍ଥଳେ ୨୪ ଘଣ୍ଟିଆ କ୍ୱିକ୍ ରିଆକ୍ସନ ଟିମ୍, ସୁରକ୍ଷା ବ୍ୟବସ୍ଥାର ମନିଟରିଂ ପାଇଁ ଉନ୍ନତ ଜ୍ଞାନକୌଶଳ ସମ୍ପନ୍ନ କଣ୍ଟ୍ରୋଲ୍ ରୁମ୍ର ବ୍ୟବସ୍ଥା ସହ ରୋଗୀଙ୍କ ସମ୍ପର୍କୀୟ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଇବାକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମାରେ କୁହାଯାଇଛି।
ଏହାବ୍ୟତୀତ ଡାକ୍ତର ଓ ମେଡ଼ିକାଲ କର୍ମଚାରୀଙ୍କୁ ଆକ୍ରମଣ କିମ୍ବା ଦୁର୍ବ୍ୟବହାରକାରୀଙ୍କ ବିରୋଧରେ ସଂପୃକ୍ତ ଅନୁଷ୍ଠାନ ପକ୍ଷରୁ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତାସହ ଚିକିତ୍ସାରେ ଅବହେଳା ଅଭିଯୋଗର ତଦାରଖ ପାଇଁ ମେଡ଼ିକାଲଗୁଡ଼ିକରେ ନୋଡାଲ୍ ଅଫିସର ସହ ଖାଲି ଥିବା ପଦବି ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟମନ୍ତ୍ରଣାଳୟ। ସହରାଞ୍ଚଳ ଅପେକ୍ଷା ଦୁର୍ଗମ ଅଞ୍ଚଳରେ ନିଯୁକ୍ତ ଡାକ୍ତରଙ୍କୁ ଆବଶ୍ୟକୀୟ ଉନ୍ନତମାନର ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଯୋଗାଇଦେବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।