କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଭେଟି; ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ  ୫ ପ୍ରତିଶତ ମହଙ୍ଗା ଭତ୍ତା ବଢାଇବା ପାଇଁ ସରକାର ଘୋଷଣା କରିଛନ୍ତି।  ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଉପକୃତ ହେବେ। ତା ସହିତ ୬୨ ଲକ୍ଷ ପେନସନଭୋଗୀ ମଧ୍ୟ ଉପକୃତ ହେବେ। ଏଥିଯୋଗୁଁ ସରକାରଙ୍କ ଉପରେ ୧୬ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏଥି ସହିତ ଆହୁରି ଅନେକ ମଞ୍ଜୁରୀ ମିଳିଛି। 

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା। ବୈଠକରେ ଆଲୋଚନା ପରେ ପୂର୍ବରୁ ୧୨ ପ୍ରତିଶତ ମହଙ୍ଗା ଭତ୍ତା ଥିବା ବେଳେ ଏବେ କେନ୍ଦ୍ର ଏହାକୁ ଆଉ ୫ ପ୍ରତିଶତ ବୃଦ୍ଧି କରି ୧୭ ପ୍ରତିଶତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏଥିସହିତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଆଧାର କାର୍ଡ ସଂଯୋଗର ଅବଧି ତାରିଖ ୩୦ ନଭେମ୍ୱରକୁ ଘୁଞ୍ଚାଯାଇଛି। ଯେଉଁମାନେ ପିଏମ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ରହିଛନ୍ତି ଆଗକୁ ସରକାରଙ୍କ ଏହି ଯୋଜନାର ସେବା ପାଇବା ପାଇଁ ହେଲେ ଆଧାର କାର୍ଡ ସଂଯୋଗ କରିବା ନିହାତି ଆବଶ୍ୟକ।

ସେହିପରି ଆଶା କର୍ମୀଙ୍କୁ କେନ୍ଦ୍ର ସରକାର ଦେଉଥିବା ହଜାରେ ଟଙ୍କା ଦରମାକୁ ବୃଦ୍ଧି କରାଯାଇ ଦୁଇ ହଜାର ଟଙ୍କା କରାଯାଇଛି ବୋଲି ଜାଭଡେକର କହିଛନ୍ତି। ଏହାସହିତ ୫, ୩୦୦ ବିସ୍ଥାପିତ କାଶ୍ମୀର ପରିବାର (ଯେଉଁମାନେ କଶ୍ମୀର ବାହାରେ ରହୁଛନ୍ତି) ପୁଣି ଥରେ କଶ୍ମୀରରେ ରହିବା ପାଇଁ ପ୍ରତି ପରିବାର ପିଛା ୫.୫ ଲକ୍ଷ ଟଙ୍କା କେନ୍ଦ୍ର ସରକାର ଦେବେ ବୋଲି ଆଜି କ୍ୟାବିନେଟ୍ ମିଟିଂରେ ନିଷ୍ପତ୍ତି ନିଆଯାଇଛି। ଏହି ବିସ୍ଥାପିତମାନେ ଦୁଇ ଦେଶ ଭାଗବଣ୍ଟା ହେବା ବେଳେ ପିଓକେରୁ ଭାରତ ଆସିଥିଲେ ଏବଂ ପରେ କଶ୍ମୀର ବାହାରେ ବସବାସ କରିଥିଲେ। ଏହି ବିସ୍ଥାପିତ ପରିବାରକୁ ଆର୍ଥିକ ସହାୟତା ମିଳିବ ବୋଲି ପ୍ରଧାନମନ୍ତ୍ରୀ ୨୦୧୬ରେ ଘୋଷଣା କରିଥିଲେ। ଏବେ ସେହି ଟଙ୍କା ଦିଆଯିବ ବୋଲି ଆଜି ବସିଥିବା କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

You might also like