ସରିଲା ନବମ ପର୍ଯ୍ୟାୟ ଆଲୋଚନା, ବାହାରି ପାରିଲାନି ସମାଧାନର ବାଟ

ନୂଆଦିଲ୍ଲୀ: ଆଜି ବି ବାହାରି ପାରିଲାନି ସମାଧାନର ବାଟ। ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସରିଛି ନବମ ପର୍ଯ୍ୟାୟ ଆଲୋଚନା। ପୂର୍ବ ଭଳି ସମାନ ଦାବିରେ ଅଡ଼ି ବସିଛନ୍ତି ଚାଷୀ। ନୂଆ କୃଷି ଆଇନକୁ ଉଚ୍ଛେଦ କରିବା ସହ ଏମ୍ଏସ୍‌ପି ଉପରେ ପୂର୍ଣ୍ଣ ପ୍ରତିଶ୍ରୁତିକୁ ନେଇ ଆଜି ବି କଥାବାର୍ତ୍ତା ହୋଇଛି। ଏହି ବୈଠକରେ ଚାଷୀଙ୍କୁ କିଛି ଦିଗକୁ ନେଇ ପରାମର୍ଶ ଦେଇଛି କେନ୍ଦ୍ର।

ଚାଷୀ ସଂଗଠନ ଏକଜୁଟ୍ ହୋଇ ଆଇନ ସମ୍ପର୍କରେ ତଥ୍ୟ ପ୍ରସ୍ତୁତ କରି ଆଗାମୀ ବୈଠକରେ ଆଣନ୍ତୁ। ଏହାଦ୍ୱାରା ନୂଆ ଆଇନର ଫାଇଦା ସମ୍ପର୍କରେ ଚାଷୀ ଅବଗତ ହୋଇପାରିବେ। କେନ୍ଦ୍ର ସରକାର ଚାଷୀଙ୍କ ସହ ସର୍ବଦା ଛିଡ଼ା ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯିବ। ଚାଷୀ ଯେଉଁ କମିଟି ଗଠନ କରିବେ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ସହ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି।

ଏହାସହ ଆଇନରେ ସଂଶୋଧନ ପାଇଁ ସରକାର ପ୍ରସ୍ତୁତ ଥିବା ପୁଣି ଦୋହରାଇଛନ୍ତି ତୋମାର। ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ର ମନ୍ତ୍ରୀ ପ୍ରୀୟୂଷ ଗୋଏଲଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଆସନ୍ତା ୧୯ରେ ପୁଣି ଥରେ ଚାଷୀ-ସରକାର ବୈଠକ ବସିବ।

ଗତ ସପ୍ତାହରେ ମଧ୍ୟ ଚାଷୀ-କେନ୍ଦ୍ର ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଅଷ୍ଟମ ପର୍ଯ୍ୟାୟ ଆଲୋଚନାରେ ବି କୌଣସି ନିଷ୍କର୍ସ ବାହାରି ପାରିନଥିଲା। ନୂଆ କୃଷି ଆଇନ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଚାଷୀମାନେ ଅଡ଼ି ବସିବାରୁ କଥାବାର୍ତ୍ତା ଅସମାପ୍ତ ରହିଥିଲା। ତେବେ ଆଇନ୍‌ରେ କେତେକ ସଂଶୋଧନ ଆଣିବାକୁ ରାଜି ଅଛନ୍ତି ସରକାର। ହେଲେ ଆଇନ ସଂପୂର୍ଣ୍ଣ ଉଚ୍ଛେଦ କରାଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଥିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର।
ସେ କହିଥିଲେ ଯେ କୃଷି ଆଇନ୍ କେବଳ ପଂଜାବ କି ହରିୟାଣା ରାଜ୍ୟର ଚାଷୀଙ୍କ ପାଇଁ କାର୍ଯ୍ୟକାରୀ ହୋଇନି। ତେଣେ ଆଲୋଚନାକୁ ଆସିଥିବା ଚାଷୀମାନେ କହିଥିଲେ, ଯଦି ଏପରି କଥା, ତେବେ ରାଜ୍ୟ ସରକାରଗୁଡ଼ିକ ନିଜ ନିଜ ରାଜ୍ୟ ପାଇଁ ଆଇନ ତିଆରି କରନ୍ତୁ। 

ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବାବେଳେ କୃଷି ଆଇନକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ପାଇଁ କୃଷି ଆଇନ ସ୍ଥଗିତ ରଖି ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ଯେ ପର୍ଯ୍ୟନ୍ତ ବିଶେଷଜ୍ଞ କମିଟି ଗଠନ ନ ହୋଇଛି, ସେତେଦିନ ପଯର୍ୟନ୍ତ ଦେଶରେ କୃଷି ଆଇନ ଲାଗୁ ନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହି ଏକ୍ସପର୍ଟ କମିଟି ପାଖରେ ଅଭିଯୋଗ କରିବାକୁ ଚାଷୀଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ଏହି କମିଟି ରିପୋର୍ଟ ଦେବା ପରେ କୋର୍ଟ ଶୁଣାଣି କରିବେ ବୋଲି କହିଛନ୍ତି ।

You might also like