କୃଷି ଆଇନ୍ ଅସନ୍ତୋଷ: ଚାଷୀ ଓ ସରକାରଙ୍କ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବି ଫେଲ୍
ନୂଆଦିଲ୍ଲୀ: ନୂଆ କୃଷି ଆଇନ୍କୁ ନେଇ କେନ୍ଦ୍ର ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ହୋଇଥିବା ଅଷ୍ଟମ ପର୍ଯ୍ୟାୟ ଆଲୋଚନା ପୁଣି ଫେଲ୍ ମାରିଛି। ଅଷ୍ଟମ ପର୍ଯ୍ୟାୟ ଆଲୋଚନାରେ ବି କୌଣସି ନିଷ୍କର୍ସ ବାହାରି ପାରିନି। ନୂଆ କୃଷି ଆଇନ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଚାଷୀମାନେ ଅଡ଼ି ବସିବାରୁ କଥାବାର୍ତ୍ତା ଅସମାପ୍ତ ରହିଛି।
ତେବେ ଆଇନ୍ରେ କେତେକ ସଂଶୋଧନ ଆଣିବାକୁ ରାଜି ଅଛନ୍ତି ସରକାର। ହେଲେ ଆଇନ ସଂପୂର୍ଣ୍ଣ ଉଚ୍ଛେଦ କରାଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ସେ କହିଛନ୍ତି, କୃଷି ଆଇନ୍ କେବଳ ପଂଜାବ କି ହରିୟାଣା ରାଜ୍ୟର ଚାଷୀଙ୍କ ପାଇଁ କାର୍ଯ୍ୟକାରୀ ହୋଇନି। ତେଣେ ଆଲୋଚନାକୁ ଆସିଥିବା ଚାଷୀମାନେ କହିଥିଲେ, ଯଦି ଏପରି କଥା, ତେବେ ରାଜ୍ୟ ସରକାରଗୁଡ଼ିକ ନିଜ ନିଜ ରାଜ୍ୟ ପାଇଁ ଆଇନ ତିଆରି କରନ୍ତୁ। ଜାନୁଆରୀ ୧୫ରେ ପୁଣି ଥରେ ବୈଠକରେ ଆଲୋଚନା ପାଇଁ ଉଭୟ ପକ୍ଷ ରାଜି ହୋଇଥିବାର ସୂଚନା ମିଳିଛି।
କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନ୍କୁ ବିରୋଧ କରି ଦିଲ୍ଲୀ ସୀମାରେ ମାସେ ହେଲା ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ। ଏହାର ସମାଧାନ ପାଇଁ ଶୁକ୍ରବାର ଚାଷୀ ଓ ସରକାର ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ହୋଇଥିଲା ଏଥିରେ ପୂର୍ବପରି କୃଷକମାନେ କୃଷି ଆଇନ୍ ଉଚ୍ଛେଦ ସହିତ ଏମ୍ଏସ୍ପି ସୁନିଶ୍ଚିତ କରିବାକୁ ଦାବି କରିଥିଲେ। ହେଲେ କେନ୍ଦ୍ର ସରକାର କିନ୍ତୁ ସିଧା ସିଧା କହିଥିଲେ ଯେ କୃଷି ଆଇନ୍ ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇପାରିବ ନାହିଁ କି ହେବ ନାହିଁ।
ଦିଲ୍ଲୀର ବିଜ୍ଞାନ ଭବନରେ କୃଷକ ଓ ସରାକରଙ୍କ ମଧ୍ୟରେ ଆଜି ୩ ଘଣ୍ଟାକାଳ ଆଲୋଚନା ହୋଇଥିଲା। ଦିନ ୨.୪୫ ମିନିଟ୍ରେ ଆଲୋଚନା ଆରମ୍ଭ ହୋଇଥିଲା। ଆରମ୍ଭରୁ ହିଁ କୃଷକମାନେ ସେମାନଙ୍କର ପୁରୁଣା ଦାବି ଉପସ୍ଥାପନ କରିଥିଲେ।
ଏଥିରେ ପଞ୍ଜାବ ବିଜେପି ନେତା କୃଷକ ଆନ୍ଦୋଳନ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଚାଷୀ। ମଧ୍ୟାହ୍ନ ଭୋଜନା ବେଳେ ଭୋଜନ କରିବେ ନାହିଁ କି ଚା ପିଇବେ ନାହିଁ ଏମିତିକି କାହା ସହ କଥା ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଆଜିର ଆଲୋଚନାରେ ଉଭୟ ପକ୍ଷ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବେ ବୋଲି ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା। ଏବଂ କୁହାଯାଇଥିଲା ଯେ ଯଦି କୋର୍ଟ କୃଷି ଆଇନ୍କୁ ବେଆଇନ୍ କହିବେ ତେବେ ସରକାର ଏହାକୁ ଉଠାଇ ନେବେ। ଆଉ ଯଦି କୋର୍ଟ ଏହାକୁ ଉଚିତ୍ ନିଷ୍ପତ୍ତି ବୋଲି କହନ୍ତି, ତେବେ କୃଷକ ବିକ୍ଷୋଭ ପ୍ରଦର୍ଶନ ବନ୍ଦ କରିବେ। କିନ୍ତୁ କେନ୍ଦ୍ର ସରକାରଙ୍କର ଏହି ପ୍ରସ୍ତାବକୁ ମଧ୍ୟ କୃଷକମାନେ ପ୍ରତ୍ୟାଖାନ କରିଦେଇଥିଲେ।