ଆଜି ବି ଚାଷୀଙ୍କୁ ମନେଇ ପାରିଲେନି ସରକାର; ଆସନ୍ତା ଶନିବାର ପୁଣି ବୈଠକ
ନୂଆଦିଲ୍ଲୀ: ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ବୈଠକରେ କୌଣସି ନିଷ୍କର୍ଶ ବାହାରି ପାରିଲା ନାହିଁ। ୭ ଘଣ୍ଟାର ବୈଠକ ପରେ ଏମ୍ଏସ୍ପିରେ କୌଣସି ପରିବର୍ତ୍ତନ ହେବନି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ପ୍ରତିଶ୍ରୁତି ଦେବା ସତ୍ତ୍ୱେ, ଅନ୍ୟ ସବୁ ଦାବି ପୂରଣ ଜିଦ୍ରେ ଅଟଳ ରହିଥିଲେ ଚାଷୀ। ଫଳରେ ସମସ୍ୟାର ସମାଧାନ ପାଇଁ କୌଣସି ବାଟ ବାହାରି ପାରିନଥିଲା। ଆସନ୍ତା ଶନିବାର ପୁଣି ବୈଠକ ବସିବ ବୋଲି ସୂଚନା ମିଳିଛି।
ଆଜି କେନ୍ଦ୍ର ସରକାରଙ୍କ ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ଏକାଧିକ ନିର୍ଣ୍ଣାୟକ ଦାବି ଉଠାଇଥିଲେ ଚାଷୀ। ତାମଧ୍ୟରୁ ପ୍ରମୁଖ ଦାବିଗୁଡ଼ିକ ଥିଲା-
ନୂଆ କୃଷି ଆଇନ ଖାରଜ କରିବାକୁ ସଂସଦର ସ୍ୱତନ୍ତ୍ର ଅଧିବେଶନ।
ନୂଆ ଏମଏସ୍ପି ଆଇନ୍ ଲାଗୁ
ଏମଏସ୍ପି ସ୍ଥିର ଲାଗି ସ୍ୱାମୀନାଥନ କମିଟିର ଫର୍ମୁଲା ଅନୁସରଣ
NCR ରିଜିଅନରେ ଲାଗୁ ହୋଇଥିବାବାୟୁ ପ୍ରଦୂଷଣ ଆଇନ୍ ପ୍ରତ୍ୟାହାର
ଚାଷ ପାଇଁ ଡିଜେଲ୍ ଦର ୫୦ ପ୍ରତିଶତ ହ୍ରାସ
ଦେଶବ୍ୟାପୀ ଚାଷୀନେତାଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହାର।
ଏସବୁ ଦାବି ନେଇ ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ କୃଷକ ସଂଗଠନର ୪୦ ଜଣ ପ୍ରତିନିଧି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ଆଲୋଚନା କରିଥିଲେ। ତେବେ ଆଜି କେବଳ ଏମ୍ଏସ୍ପି ପ୍ରସଙ୍ଗରେ ଦାବି ପୂରଣ ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ ବି ଅନ୍ୟ ଦାବି ପୂରଣ ନହେବାରୁ ଆନ୍ଦୋଳନ ଜାରି ରଖିଛନ୍ତି ଚାଷ।
ଆଜିର ଆଲୋଚନାରେ ଭାଗ ନେଇଥିବା ଚାଷୀନେତା, ସରକାରଙ୍କ ପକ୍ଷରୁ ଆସିଥିବା ମଧ୍ୟାହ୍ନ ଭୋଜନକୁ ଗ୍ରହଣ କରିନଥିଲେ। ସେମାନେ ନିଜ ପାଇଁ ଖାଦ୍ୟ ଆଣିଥିବା କହିଥିଲେ। ସେପଟେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ନିଜ ପଦ୍ମ ବିଭୂଷଣ ପୁରସ୍କାର ଫେରାଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ। ଏବଂ ଶିରୋମଣି ଅକାଳି ଦଳ ଡେମୋକ୍ରାଟିକ୍ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଶୁଖଦେବ ସିଂ ଢିଣ୍ଡସା।