ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ୭ ବର୍ଷ ଯାଏ ଜେଲ, ମୋଟା ଅଙ୍କର ଜରିମାନା ମଧ୍ୟ ଗଣିବେ

ନୂଆଦିଲ୍ଲୀ: କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର କଠୋର ଆଇନ ପ୍ରଣୟନ କରିଛନ୍ତି। ଏଣିକି ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ସଂପୃକ୍ତ ଦୁର୍ବୃତ୍ତଙ୍କୁ ୭ ବର୍ଷ ଯାଏ ଜେଲ ଦଣ୍ଡ ସହ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଏଥିପାଇଁ କେନ୍ଦ୍ର କ୍ୟାବିନେଟ ସ୍ୱତନ୍ତ୍ର ଅଧ୍ୟାଦେଶକୁ ଅନୁମତି ମଧ୍ୟ ପ୍ରଦାନ କରିଛି। ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଏହି ଅଧ୍ୟାଦେଶ ଆଣିଛନ୍ତି ସରକାର।

ଅଧ୍ୟାଦେଶ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, କୋଭିଡ-୧୯ ବିରୋଧରେ ଲଢ଼େଇ କରୁଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଶବାଶୀ ସଲାମ କରୁଛନ୍ତି।

ଏହି ଅଧ୍ୟାଦେଶ ଅନୁଯାୟୀ, ଡାକ୍ତର, ନର୍ସ, ଆଶାକର୍ମୀ ଓ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଏଣିକି ଆକ୍ରମଣ କଲେ ଦୁର୍ବୃତ୍ତମାନଙ୍କୁ ୬ ମାସରୁ ୭ ବର୍ଷ ଯାଏ ଜେଲ ଦଣ୍ଡ ମିଳିବ। ସେହିପରି ଏହାକୁ ଏକ ଜାମିନ ବିହୀନ ମାମଲା ଭାବେ ବିବେଚନା କରାଯିବ।

ସେହିପରି ଦୁର୍ବୃତ୍ତମାନଙ୍କୁ ୫୦,୦୦୦ ରୁ ୨ ଲକ୍ଷ ଟଙ୍କା ଯାଏ ଫାଇନ ଦେବାକୁ ପଡ଼ିବ। ସାଧାରଣ ମାମଲା ପାଇଁ ଏଭଳି ଦଣ୍ତର ବ୍ୟବସ୍ଥା କରାଯାଇଛି। ଯଦି ମାମଲା ଗୁରୁତର ହୋଇଥାଏ ତା’ହେଲେ ଦଣ୍ଡ ପ୍ରାବଧାନ ମଧ୍ୟ ଅଧିକ କଠୋର କରାଯିବ। ଗୁରୁତର ମାମଲାରେ ଦୁର୍ବୃତ୍ତମାନଙ୍କୁ  ଜେଲ ଦଣ୍ଡ ସହ ଜରିମାନା ରାଶି  ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।

ଦିନକୁ ଦିନ ଡାକ୍ତରଙ୍କ ସମେତ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ହେଉଥିବାରୁ ସରକାର ଏଭଳି ଅଧ୍ୟାଦେଶ ଆଣିଛନ୍ତି।

You might also like