ସର୍ତ୍ତମୂଳକ ଅନୁମତି ପରେ ଆଜିଠୁ ସାରା ଦେଶରେ ଖୋଲିଲା ବିଭିନ୍ନ ଦୋକାନ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଖୋଲିଲା ବିଭିନ୍ନ ଦୋକାନ। ଦୋକାନ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ରେସିଡେନସିଆଲ ଓ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି।

ନିର୍ଦ୍ଦେଶାନୁସାରେ, ରେସିଡେନସିଆଲ, କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡିକ ଖୋଲିବାକୁ ଏହି ଅନୁମତି ଦିଆଯାଇଛି। ତେବେ ହଟସ୍ପଟ୍ ଜୋନ୍‌ରେ ଆସୁଥିବା ଅଞ୍ଚଳରେ ଏହି ଦୋକାନ ଗୁଡିକ ଓ ଶପିଂ ମଲ୍‌ରେ ଥିବା ଦୋକାନ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ସେହିପରି କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ ନାହିଁ।

ସୂଚନାଥାଉ କି, ଯେଉଁ ଦୋକାନ ଗୁଡ଼ିକ ଖୋଲା ରହିବ ସେସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଦତ୍ତ ଦୋକାନ ଏବଂ ପ୍ରତିଷ୍ଠାନ ନିୟମରେ ପଞ୍ଜୀକୃତ ହୋଇଥିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୂର୍ବରୁ କୁହାଯାଇଥିଲା।

ଦୋକାନ ଗୁଡ଼ିକ ଖୋଲିବା ପୂର୍ବରୁ କିଛି ସର୍ତ୍ତ ଜାରି କରାଯାଇଥିଲା। ସର୍ତ୍ତ ଅନୁସାରେ, ଦୋକାନରେ କେବଳ ୫୦ ପ୍ରତିଶତ କର୍ମଚାରୀ ହିଁ କାର୍ଯ୍ୟ କରିବେ ଓ ସେମାନଙ୍କୁ ସାମାଜିକ ଦୂରତା ନିୟମ ପାଳନ କରିବାକୁ ପଡିବ। ଏହାସହ ଦୋକାନରେ କାମ କରୁଥିବା ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

You might also like