ଏସି ଟ୍ରେନ୍‌ରେ ଯାଉଥିବା ଯାତ୍ରୀଙ୍କୁ ମିଳିବନି କମ୍ବଳ, ଜାଣନ୍ତୁ କାହିଁକି…

ମୁମ୍ବାଇ: ଆପଣ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଯୋଜନା କରିଛନ୍ତି କି ? ବିଶେଷ କରି ଯଦି ଆପଣ ଏସି ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ପ୍ଲାନିଂ କରିଛନ୍ତି, ତା’ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଜାଣି ରଖନ୍ତୁ। ହୁଏତ ଆପଣଙ୍କ କାମରେ ଆସିପାରେ। ଏବେ କରୋନା ଭାଇରସ୍‌କୁ ନେଇ ସମସ୍ତେ ଚିନ୍ତିତ। ଏହାକୁ ମୁକାବିଲା କରିବା ପାଇଁ ସତର୍କତା ଓ ସଚେତନତା କରାଯାଉଛି।

ଭାରତୀୟ ରେଳ ବିଭାଗ ମଧ୍ୟ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି। ଏହି ଆଧାରରେ ରେଳ ବିଭାଗ ଯାତ୍ରୀମାନଙ୍କୁ ଏକ ପରାମର୍ଶ ଦେଇଛି। ଏସି ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସାଙ୍ଗରେ କମ୍ବଳ ଆଣିବା ପାଇଁ ପରାମର୍ଶ ଦିଆଯାଇଛି। ଏନେଇ ପଶ୍ଚିମ ରେଲ୍‌ୱେ ମୁଖପାତ୍ରଙ୍କ ସୂଚନା ଅନୁସାରେ, “ଟ୍ରେନ୍‌ର ଏସି କୋଚ୍‌ରେ ପର୍ଦ୍ଦା ଓ କମ୍ବଳ ହଟାଇବା ପାଇଁ ରେଲ୍‌ୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କରୋନାକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି।”

କାରଣ ଟ୍ରେନ୍‌ରେ ବ୍ୟବହୃତ କମ୍ବଳ ଅନେକ ଥର ସଫା ନ କରାଯାଇ ବ୍ୟବହୃତ ହେଉଥିବା ଦେଖିବାକୁ ମିଳିଛି। ତେଣୁ ଯାତ୍ରା କରିବାବେଳେ ସାଙ୍ଗରେ କମ୍ବଳ ଆଣିବା ପାଇଁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ କରୋନା ମୁକାବିଲା ନେଇ ଦିଲ୍ଲୀରେ ରେଲ୍‌ୱେ ପକ୍ଷରୁ ପୂରା ପ୍ରସ୍ତୁତି କରାଯାଇଛି। ଦିଲ୍ଲୀ ରେଲ୍‌ୱେ ଷ୍ଟେସନ୍‌ରେ ପୋଷ୍ଟର ଓ ଡିଜିଟାଲ୍‌ ସ୍କ୍ରିନିଂ ମାଧ୍ୟମରେ ଲୋକମାନଙ୍କୁ ସଚେତନ ଓ ସତର୍କ  କରାଯାଉଛି। ଏହାସହ ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଷ୍ଟେସନ୍‌ର ବିଭିନ୍ନ ସ୍ଥାନରେ ସାନିଟାଇଜର୍‌ ରଖାଯିବା ସହ ଷ୍ଟାଫ୍‌ମାନଙ୍କୁ ମାସ୍କ ଦିଆଯାଇଛି। ଏଠାରେ ଆଇସୋଲେସନ୍‌ ୱାର୍ଡ ମଧ୍ୟ କରାଯାଇଛି।

You might also like