ନୂଆବର୍ଷରେ ହେବ ଟିକା ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନର  ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରସଙ୍ଗରେ ଅଧିକ ସମୟ ଲୋଡ଼ିଲେ ଏକ୍ସପର୍ଟ କମିଟି । ଏ ନେଇ  Central Drugs Standard Control Organisation ର ସବ୍‌ଜେକ୍ଟ ଏକ୍ସପର୍ଟ କମିଟି ବୈଠକ ବସିଥିଲା।  ତେବେ କମିଟି ଏହି ୨ ଟିକାର ନିର୍ମାତା କଂପାନୀ ସିରମ୍ ଇନ୍‌ଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍ ପକ୍ଷରୁ ଦିଆଯାଇଥିବା ଅତିରିକ୍ତ ତଥ୍ୟର ଅନୁଧ୍ୟାନ ପାଇଁ ଅଧିକ ସମୟ ଲୋଡ଼ିଥିବା ସୂଚନା ମିଳିଛି।

ଆସନ୍ତାକାଲି ଅର୍ଥାତ୍ ନୂଆ ବର୍ଷ ଦିନ ପୁଣି ବୈଠକ ବସିବ। ସେଦିନ ଫାଇଜର୍ ଟିକାର ଆବେଦନ ଉପରେ ମଧ୍ୟ ଆଲୋଚନା ହୋଇପାରେ । ଭାରତୀୟଙ୍କ ଠାରେ ପରୀକ୍ଷଣ ନକରି, ଦେଶରେ ସିଧାସଳଖ ଟିକା ବଣ୍ଟନ ଓ ବିକ୍ରି ପାଇଁ ଅନୁମତି ଲୋଡ଼ିଛି ଫାଇଜର୍।

ସେପଟେ ବ୍ରିଟେନ୍‌ରେ  ଫାଇଜର୍ ପରେ କୋଭିସିଲ୍‌ଡକୁ ଅନୁମତି ମିଳିଛି । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଏହି ଟିକାର ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ବ୍ରିଟେନ୍ ସରକାରଙ୍କ ମେଡିସିନ୍ ଆଣ୍ଡ୍ ହେଲଥ୍ କେୟାର ପ୍ରଡକ୍ଟ ରେଗୁଲେଟାରୀ ଏଜେନ୍ସି ମଂଜୁରୀ ପ୍ରଦାନ କରିଛି। ଖୁବଶୀଘ୍ର କୋଭିସିଲ୍ଡକୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯିବ। ତେବେ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଟିକା ଦେବା ନେଇ ଯୋଜନା ପ୍ରସ୍ତୁତ ହୋଇଛି। ସେରମ୍ ପକ୍ଷରୁ ୟୁକେକୁ ପ୍ରଥମ ପର୍ଯ୍ୟାୟରେ ୧ କୋଟି ଡୋଜ୍ ପହଞ୍ଚାଇବା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ହୋଇଛି।

ସୂଚନାଥାଉ କି, ପ୍ରଥମ ରାଷ୍ଟ୍ର ଭାବେ ୟୁକେରେ କୋଭିସିଲ୍ଡକୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି। ୟୁକେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଦେଶରେ ଜାନୁୟାରୀ ୪ରୁ ଅକ୍ସଫୋର୍ଡ କରୋନା ଟିକା ଲୋକଙ୍କୁ ଦିଆଯିବା ଆରମ୍ଭ ହେବ।  ନୂଆବର୍ଷର କିଛି ସପ୍ତାହ ପରେ କରୋନା ଭାକ୍ସିନ ଦିଆଯିବା କାମ ଆରମ୍ଭ ହେବ ବୋଲି ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ। ବ୍ରିଟେନ ଅକ୍ସଫୋର୍ଡକୁ ୧୦ କୋଟି ଭାକ୍ସିନ ପାଇଁ ଅର୍ଡର ଦେଇଛି। ଏହା ପରେ ଦେଶର ୫ କୋଟି ଲୋକଙ୍କୁ ବିନା ଦ୍ୱିଧାରେ କରୋନା ଟିକା ଦିଆଯାଇ ପାରିବ।

ତେବେ ବ୍ରିଟେନ୍‌ରେ ଅନୁମତି ମିଳିବା ପରେ ଭାରତରେ ମଧ୍ୟ ଖୁବ୍‌ ଶୀଘ୍ର କୋଭିସିଲ୍ଡକୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରବା ପାଇଁ ଅନୁମତି ମିଳିବାର ସମ୍ଭାବନା ଦେଖା ଦେଇଥିଲା। ତେବେ ଏକ୍ସପର୍ଟ କମିଟି ଅଧିକ ସମୟ ଲୋଡ଼ିବା ପରେ ଏହି ଆଶା ମଉଳି ଯାଇଛି।

You might also like