ଅମ୍ବାନୀଙ୍କ ଘର ସାମ୍ନାରେ ବିସ୍ଫୋରକ ଗାଡ଼ି ରଖିବା ଘଟଣା: ସିସିଟିଭି ଫୁଟେଜ୍‌ରେ ଧରାପଡ଼ିଲା ଦୁର୍ବୃତ୍ତ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଗାଡ଼ି ରଖିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ସିସିଟିଭି କ୍ୟାମେରାରେ ଧରାପଡ଼ିଛି ଦୁର୍ବୃତ୍ତ।  ଦୁର୍ବୃତ୍ତ ଜଣକ ପିପିଇ କିଟ୍‌ ପିନ୍ଧି  ବିସ୍ଫୋରକ ଗାଡ଼ି ଅମ୍ବାନୀଙ୍କ ଘର ପାଖରେ ପାର୍କିଂ କରି ଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ସୂଚନାଥାଉ କି, ବୋମା ନିଷ୍କ୍ରିୟ ଟିମ୍‌ ଏହା ମଧ୍ୟରୁ ୨୦ଟି ଜିଲୋଟିନ ଓ ଅନ୍ୟାନ୍ୟ ବିସ୍ଫୋରକ ଠାବ କରିଥିଲା। ଜିଲୋଟିନ୍‌ ଗୁଡ଼ିକର ଓଜନ ପ୍ରାୟ ୨.୫ କେଜି ହେବ। ଏବେ ଜଣାପଡ଼ିଛି ଯେ ଦୁର୍ବୃତ୍ତ ଜଣଙ୍କ ନିଜ ପରିଚୟକୁ ଗୋପନ ରଖିବା ପାଇଁ ଜାଣିଶୁଣି ପିପିଇ କିଟ୍‌ ପିନ୍ଧି ବିସ୍ଫୋରକ ଖଚିତ ଗାଡ଼ିକୁ ଅମ୍ବାନୀଙ୍କ ଘର ପାଖରେ ରଖିଥିଲା।

ଚଳିତ ବର୍ଷ ଫେବ୍ରୁଆରୀ ୨୪ ତାରିଖରେ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ବିସ୍ଫୋରକ ଗିଲେଟିନ୍ ଷ୍ଟିକ୍‌ ଥିବା ଏକ ସ୍କର୍ପିଓ ଗାଡ଼ି ମିଳିଥିଲା। ପୁଲିସ ଗାଡ଼ିର ମାଲିକଙ୍କୁ ମଧ୍ୟ ଠାବ କରିଥିଲା। ଏହାର କିଛିଦିନ ପରେ ସ୍କର୍ପିଓ ମାଲିକ ମୁକେଶ ହିରେନ୍‌ଙ୍କର ମୃତଦେହ ଥାନେର ମୁବ୍ରାକ କ୍ରିକ୍‌ ନାଳରୁ ଉଦ୍ଧାର କରାଯାଇଥିଲା। ଏହାପରେ ହିରେନ୍‌ଙ୍କ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା।

ହିରେନ୍‌ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ୧୦ରୁ ଅଧିକ ଟିମ୍‌ ଗଠନ କରାଯାଇଛି ବୋଲି ଏଟିଏସ୍‌ ସୂତ୍ରରୁ ସୂଚନା ମିଳିଥିବା ସହିତ ଦୋଷୀକୁ ଛଡ଼ାଯିବ ନାହିଁ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଥିଲେ।

ଏହି ଘଟଣା ପରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ମୁଲୁଣ୍ଡ ଟୋଲ ବ୍ଲକରୁ ସିସିଟିଭି ଫୁଟେଜ ଜବତ କରିଥିଲା। ଏହି ଫୁଟେଜ୍‌ରେ ଏକ ଇନୋଭା କାରକୁ ମୁମ୍ବାଇରେ ଛାଡ଼ିଥିବା ଦେଖିବାକୁ ମିଳିଥିଲା। ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରେ ଦୁଇଟି କାର ଲାଗିଥିଲା। ଗୋଟିଏ ସ୍କର୍ପିଓ ଓ ଅନ୍ୟଟି ଇନୋଭା। ସ୍କର୍ପିଓରେ ବସିଥିବା ଡ୍ରାଇଭର ଗାଡ଼ିକୁ ସେହିଠାରେ ଛାଡ଼ି ଦେଇଥିଲେ। ପରେ ଇନୋଭାରେ ବସି ଚାଲି ଯାଇଥିଲେ। ପରେ ‌ପୋଲିସ ଆଣ୍ଟିଲିଆ ବାହାରେ ଜିଲେଟିନ ଥିବା ସ୍କର୍ପିଓ ଗାଡ଼ି ଜବତ କରିଥିଲା। ଏଥିରେ ଥିବା ଏକ ଚିଠି ମଧ୍ୟ ଜବତ କରିଥିଲା ପୋଲିସ।

You might also like