• translate
Rajalaxmi Sahoo

ନୂଆଦିଲ୍ଲୀ: ବାତିଲ୍ ହେଲା CBSE (Central Board of Secondary Education) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା। CBSE ଦଶମ ବୋର୍ଡ ପରୀକ୍ଷା ବାତିଲ୍‌ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଜରିଆରେ ରେଜଲ୍ଟ ପ୍ରକାଶ ପାଇବ। ଯେଉଁମାନେ ରେଜଲ୍ଟରେ ସନ୍ତୁଷ୍ଟ ନ ହେବେ ପୁଣି ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ୱାଭାବିକ ହେଲା ପରେ ଛାତ୍ରଛାତ୍ରୀ  ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି।

ସେ ଆହୁରି କହିଛନ୍ତି, ‘ ଜୁନ୍ ୧ରେ ପରିସ୍ଥିତି ସମୀକ୍ଷା ହେବ ଓ ପରୀକ୍ଷା ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ।’

ସେହିପରି CBSE ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏହି ପରୀକ୍ଷା ପରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ବର୍ତ୍ତମାନ କରୋନା ସ୍ଥିତିରେ ପରୀକ୍ଷା ହେବାନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ମେ ୪ରୁ ଜୁନ୍ ୧୪ ମଧ୍ୟରେ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥାନ୍ତା।

ସୂଚନାଥାଉ କି, ଗତବର୍ଷ ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ହେବାକୁ ଥିବା ସିବିଏସଇ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ବଳକା ଥିବା ପରୀକ୍ଷାକୁ ମଧ୍ୟ ବାତିଲ୍ କରି ଦିଆଯାଇଥିଲା। କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଅଭିଭାବକମାନେ CBSE ପରୀକ୍ଷା ବାତିଲ୍‌ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ସୁରକ୍ଷା କାରଣରୁ ସିବିଏସଇ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ବଳକା ଥିବା ପରୀକ୍ଷାକୁ ନକରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଦେଶରେ ଦୈନିକ କରୋନାଜନିତ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୦୨୭ ଜଣଙ୍କ ଜୀବନ ନେଇଛି ଭାଇରସ୍ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୫ରେ ପହଞ୍ଚିଛି।

Other Stories