ନୂଆଦିଲ୍ଲୀ:  ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାହାର ତାରିଖ ଘୋଷଣା କରିଛି CBSE।  ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ କରିବ ବୋଲି ସୂଚନା ଦେବା ସହ ଏ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି ସିବିଏସ୍ଇ।

ପରୀକ୍ଷା ପୂର୍ବରୁ କିପରି ମୂଲ୍ୟାୟନ କରାଯିବ ସେ ନେଇ ସିବିଏସଇ ତଥ୍ୟ ରଖିଥିଲା। ସିବିଏସଇ ଚୟନ କମିଟିରେ ୩୦-୩୦-୪୦ ଫର୍ମୂଲାରେ ଫଳ ପ୍ରକାଶ କରିବାକୁ ସହମତି ପ୍ରକାଶ ପାଇଥିଲା । ଦଶମ ଓ ଏକାଦଶର ଫଳ ଏବଂ ଦ୍ୱାଦଶ ପ୍ରି-ବୋର୍ଡ ଫଳର ଅନୁଧ୍ୟାନ ହେବ । ସିବିଏସଇର ଚୟନ କମିଟିର ୧୩ ଜଣ ସଦସ୍ୟ ୩୦-୩୦-୪୦ ଫର୍ମୁଲାକୁ ସମର୍ଥନ କରିଛନ୍ତି।

ଦଶମ ଓ ଏକାଦଶ ମାର୍କକୁ ୩୦ ପ୍ରତିଶତ ଲେଖାଏଁ ପ୍ରାଧାନ୍ୟ ଦିଆଯିବ । ଦ୍ୱାଦଶ ପ୍ରି-ବୋର୍ଡକୁ ୪୦ ପ୍ରତିଶତକୁ ପ୍ରଧାନ୍ୟ ଦିଆଯିବ। ଦଶମ ଓ ଏକାଦଶର ଶ୍ରେଷ୍ଠ ପ୍ରଦର୍ଶନ ଥିବା ୩ଟି ପେପରରୁ ୩୦% ମାର୍କ ନିଆଯିବ।  ଦ୍ୱାଦଶ ପ୍ରି-ବୋର୍ଡ ୟୁନିଟ, ଟର୍ମ ଓ ପ୍ରାଟିକାଲ ପରୀକ୍ଷାରୁ ୪୦% ମାର୍କ ନିଆଯିବ।  କମିଟି ନିଷ୍ପତ୍ତି ନେଇଥିବା ଏହି ଫର୍ମୁଲା ଆଧାରରେ ପିଲାଙ୍କ ଦ୍ୱାଦଶ ପରୀକ୍ଷା ଫଳ ବୋର୍ଡ ସ୍ଥିର କରବ। ତେବେ ଯେଉଁମାନେ ସନ୍ତୁଷ୍ଟ ନ ଥିବେ ସେମାନେ ପରୀକ୍ଷା ଦେଇ ପାରିବେ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।

ସୂଚନାଥାଉ କି, ଦେଶରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜୁନ୍‌ ୧ ତାରିଖ ଦ୍ୱାଦଶ ପରୀକ୍ଷା ଫଳ ନ କରିବା ପାଇଁ  ସିବିଏସଇ ନିଷ୍ପତ୍ତି ନେଇଥିଲା।  ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା।   ତେବେ  କେମିତି ମୁଲ୍ୟାୟନ ହେବ ସେନେଇ ସିବିଏସଇକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଥିଲା।

ସିବିଏସ୍‌ଇର ଏହି ନିଷ୍ପତ୍ତି ଉପରେ ଜଷ୍ଟିସ ଏଏମ ଖାନବିଲକର ଏବଂ ଜଷ୍ଟିସ ଦିନେଶ ମାହେଶ୍ୱରୀ ଖଣ୍ଡପୀଠ  ସହମତି ପ୍ରକାଶ କରିଛନ୍ତି। ଏଥିସହିତ CBSE ଏବଂ ICSE କୁ ନିଜ ୱେବ ସାଇଡ୍‌ରେ ମୂଲ୍ୟାଙ୍କନ ଯୋଜନା ଅପ୍‌ଲୋଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ  ରେଜଲ୍ଟ ପରେ ଅଭିଯୋଗ ଶୁଣିବାକୁ ବ୍ୟବସ୍ଥା କରିବାକୁ କହିଛନ୍ତି କୋର୍ଟ।

CBSE କୋର୍ଟଙ୍କୁ ସୂଚନା ଦେଇ କହିଛନ୍ତି, ପ୍ରାକ୍ଟିକାଲ ୧୦୦ ମାର୍କର ହେବ। ଛାତ୍ରଛାତ୍ରୀଙ୍କୁ ସ୍କୁଲ ପକ୍ଷରୁ ଦିଆଯାଇଥିବା ନମ୍ବରକୁ ହିଁ ଗ୍ରହଣ କରାଯିବ। ସେହିପରି ICSE ମଧ୍ୟ ଜୁଲାଇ ୩୧ ପୂର୍ବରୁ ଫଳାଫଳ ଘୋଷଣା କରିବ ବୋଲି ସୁପ୍ରିମ କୋର୍ଟଙ୍କୁ କହିଛି। କୋର୍ଟ CBSE ଏବଂ ICSE କୁ ବିକଳ୍ପ ପରୀକ୍ଷା ଆୟୋଜନ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିବା ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

 

Other Stories