• translate
Sarbeswar

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବାରୁ ଚିନ୍ତାରେ ସାରା ଦେଶ। ଆଉ ଏହାରି ମଧ୍ୟରେ ପରୀକ୍ଷା ବାତିଲ ହେବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ସୂଚନା ଅନୁସାରେ, କରୋନା ସଂକ୍ରମଣ ବଢ଼ୁଥିବାରୁ ସିବିଏସଇର ପ୍ରସ୍ତାବିତ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବା ପାଇଁ ଅନେକ ଶିକ୍ଷାର୍ଥୀ ଜୋରଦାର ଦାବି କରିଛନ୍ତି। ଏମିତିକି ସୋସିଆଲ ମିଡ଼ିଆରେ ପରୀକ୍ଷା ବାତିଲ ସମ୍ପର୍କରେ ଖବର ପ୍ରଚାର ଚାଲିଛି। ଆଉ ଏହା ଉପରେ ସିବିଏସଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବୋର୍ଡ଼ କହିଛି,୧୦ମ ଓ ଦ୍ୱାଦଶ ପରୀକ୍ଷା ଧାର୍ଯ୍ୟ ସୂଚୀ ଅନୁସାରେ କରାଯିବ। ପରୀକ୍ଷା ବାତିଲ କରିବା ନେଇ କୌଣସି ବୈଠକ ହୋଇନାହିଁ କି ଏନେଇ କୌଣସି ଆଲୋଚନା ବି ହୋଇନାହିଁ। ତେଣୁ ନିର୍ଧାରିତ ତାରିଖ ଅର୍ଥାତ୍‌ ମେ' ୪ ରୁ ହିଁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଗୋଟିଏ ପଟେ କରୋନା ବଢୁଥିବାରୁ ସାରା ଦେଶରେ ଭୟର ବାତାବରଣ ଦେଖାଯାଉଛି।

ତେଣୁ ଏପରି ସମୟରେ ପରୀକ୍ଷା ନକରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। କେବଳ ଯେ, ପରୀକ୍ଷାର୍ଥୀମାନେ ଦାବି କରୁଛନ୍ତି ତାହା ନୁହେଁ ବରଂ ଅନେକ ଶିକ୍ଷକ ଓ ଅଭିଭାବକ ମଧ୍ୟ ପରୀକ୍ଷା ନକରିବା ଲାଗି ସରକାରଙ୍କ ପାଖରେ ଦାବି କରୁଛନ୍ତି। ଏପରି କି ପ୍ରାୟ ୧ ଲକ୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲା ଅନାଲଇନରେ ଦସ୍ତଖତ ଅଭିଯାନରେ ସାମିଲ ହୋଇ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ, ,ସଂକ୍ରମଣ ଏମିତି ଭାବରେ ବଢୁଛି ଯେ ତାହାକୁ ରୋକିବା ମୁସ୍କିଲ ହୋଇଛି। ଆଉ ଏହାରି ସମୟରେ ପରୀକ୍ଷା ବେଳେ କରୋନା ବ୍ୟାପିଲେ ତାହାକୁ ରୋକିବା ମୁସ୍କିଲ। ତେଣୁ ସମସ୍ତ ଦିଗକୁ ନଜରରେ ରଖି ପରୀକ୍ଷା ବାତିଲ କରାଯାଉ ବୋଲି ଦାବି ଜୋର ଧରିଛି।

କିନ୍ତୁ ଏହା ଉପରେ ଜବାବ ଦେଇ ସିବିଏସ୍‌ଇ କହିଛି ଯେ ପରୀକ୍ଷା ବେଳେ କୋଭିଡ୍‌ର ଦ୍ୱିତୀୟ ଲହରୀ ସଂକ୍ରମଣକୁ ରୋକିବା ପାଇଁ ବୋର୍ଡ ସବୁ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି। କୋଭିଡ୍‌ ଗାଇଡ୍‌ ଲାଇନକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସଂଖ୍ୟା ପୂର୍ବବର୍ଷ ତୁଳନାରେ ୪୦ରୁ ୫୦% ବୃଦ୍ଧି କରାଯାଇଛି। ଏହାଦ୍ୱାରା ପରୀକ୍ଷାର୍ଥୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖାଯାଇ ପାରିବ। କୋଭିଡ୍‌ ପଜିଟିଭ କାରଣରୁ ଯଦି କୌଣସି ଶିକ୍ଷାର୍ଥୀ ପ୍ରାକ୍ଟି‌କାଲ ପରୀକ୍ଷା ଦେଇ ପାରିବେ ନାହିଁ, ତା’ହେଲେ ତାଙ୍କୁ ଦ୍ୱିତୀୟ ସୁଯୋଗ ମିଳିବ। ସଂପୃକ୍ତ ସ୍କୁଲ ଏହାର ବ୍ୟବସ୍ଥା କରିବେ। ତେବେ ଏହି ପ୍ରକ୍ରିୟା ଜୁନ୍‌ ୧୧ ମଧ୍ୟରେ ଶେଷ ହେବ। ତେଣୁ ବୋର୍ଡ ପରୀକ୍ଷା କୌଣସି ପ୍ରକାରରେ ବାତିଲ ହେବ ନାହିଁ।

 

Other Stories