ବିନା ପରୀକ୍ଷାରେ ପାସ୍ କରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ..

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା କାରଣରୁ ସିବିଏସଇ ବୋର୍ଡ ପରୀକ୍ଷା ରଦ୍ଦ କରିବାକୁ ଦାବି ହୋଇଆସୁଥିଲା। ଏନେଇ ଏପ୍ରିଲ ୧୪ ତାରିଖ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ନେଇ ଏକ ଗୁରୁତ୍ୱପୂବର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ସିବିଏସଇର କିଛି ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଥିଲେ। ଏହି ବୈଠକରେ ସିବିଏସଇ ବୋର୍ଡ ପରୀକ୍ଷା ରଦ୍ଦ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ବୋଲି ନିଷ୍ପତ୍ତି ନିଆଯାଇଛି।

ବିନା ପରୀକ୍ଷାରେ ପାସ୍ କରିବେ

କେନ୍ଦ୍ରଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ଏକ ଟ୍ୱିଟ କରି କହିଛନ୍ତି ଯେ, ୪ ମେ ୨୦୨୧ରୁ ୧୪ ଜୁନ୍ ୨୦୨୧ ପର୍ଯ୍ୟନ୍ତ ହେବାକୁ ଥିବା ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଛି। ଦଶମ ଶ୍ରେଣୀର ଫଳାଫଳ ବୋର୍ଡ ଦ୍ୱାରା ପ୍ରସ୍ତୁତ ହେବ। ଏହି ଫଳାଫଳ ଅବଜେକ୍ଟିଭ୍ ମାନଦଣ୍ଡ ତଥା ଇଣ୍ଟରନାଲ ଆସେସମେଣ୍ଟ ଆଧାରରେ ପ୍ରସ୍ତୁତ ହେବ । ଯଦି କୌଣସି ଛାତ୍ର କିମ୍ବା ଛାତ୍ରୀ ଏହି ଫରୀକ୍ଷା ଫଳ ନେଇ ଅସନ୍ତୋଷ ପ୍ରକାଶ କରନ୍ତି, ତେବେ ତାଙ୍କୁ ପରୀକ୍ଷା କରାଯିବାର ଏକ ଅନୁକୂଳ ସ୍ଥିତିରେ ପରୀକ୍ଷାରେ ବସିବାର ସୁଯୋଗ ଦିଆଯିବ। ସୂଚନାଥାଉକି, ଦଶମ ବୋର୍ଡରେ ୧୮ ଲକ୍ଷ ଛାତ୍ରଛାତ୍ରୀ ଏବଂ ଦ୍ୱାଦଶରେ ୧୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶ ଗ୍ରହଣ କରିଥାନ୍ତେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ମଧ୍ୟ କରୋନା ସମୟରେ ସିବିଏସ୍ଇ ବୋର୍ଡ ପରୀକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହା ବ୍ୟତୀତ ମହାରାଷ୍ଟ୍ରର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ, ତାମିଲନାଡୁର ପିଏମକେ ପ୍ରତିଷ୍ଠାତା ଏସ ରାମାଡୋସ, ବଲିଉଡ ଅଭିନେତା ସୋନୁ ସୁଦ ଏବଂ ରବିନା ଟଣ୍ଡନ ମଧ୍ୟ ବୋର୍ଡ ପରୀକ୍ଷା ବାତିଲ କରିବାକୁ ସ୍ୱର ଉଠାଇଥିଲେ। ଏମିତିକି ସେମାନେ ଦାବି କରିଥିଲେ ଯେ, ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରାଯାଉ। ରବିନା ଟଣ୍ଡନ୍ ଟ୍ୱିଟର ମାଧ୍ୟମରେ କହିଥିଲେ ଯେ ଏହା ଏକ ବିପଦପୂର୍ଣ୍ଣ ସମୟ, ଏଭଳି ସମୟରେ ପିଲାମାନେ ପରୀକ୍ଷା ଦେବା ବିପଦଜନକ ହୋଇପାରେ।

ପଞ୍ଜାବ, ୟୁପି, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବା ହେତୁ ଏଠାରେ ବହୁ ପୂର୍ବରୁ ପରୀକ୍ଷାକୁ ସ୍ଥଗିତ ରଖିବା ନେଇ ନିଷ୍ପତି ହୋଇସାରିଛି। କରୋନା ସଂକ୍ରମଣ ନିୟନ୍ତ୍ରଣାଧିନ ହେବା ପରେ ଏହି ରାଜ୍ୟଗୁଡ଼ିକରେ ବୋର୍ଡ ପରୀକ୍ଷା ହେବା ନେଇ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି। ଏଠାରେ ସ୍କୁଲ ଓ କଲେଜ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି।

You might also like