ସୁପ୍ରିମକୋର୍ଟରେ ସିବିଆଇ ମାମଲାର ଶୁଣାଣି

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ରାତି ଅଧିଆ ଛୁଟିରେ ପଠାଯିବାକୁ ନେଇ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶୁଣାଣିବେଳେ ବର୍ମାଙ୍କ ଓକିଲ ଫଲି ଏସ ନରିମନ କହିଛନ୍ତି ଯେ, ନିଯୁକ୍ତି କମିଟିର ବିନା ଅନୁମତିରେ କାର୍ଯ୍ୟାକାଳରେ ଥିବାବେଳେ କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଇ ପାରିବେ ନାହିଁ।

ଏହାସହ କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରି ନରିମନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏ ପଦକ୍ଷେପ ସଂପୂର୍ଣ୍ଣ ବେଆଇନ ଓ ଏହାଦ୍ୱାରା ସିବିଆଇର ସ୍ୱାଧୀନତା ନଷ୍ଟ ହୋଇଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ କେ. କେ. ଭେଣୁଗୋପାଳ ଜବାବ ରଖିଛନ୍ତି।

ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ଦେବା କ୍ଷମତା କେନ୍ଦ୍ର ସରକାରଙ୍କର। ତେବେ ନିର୍ଦ୍ଦେଶକ ପଦ ପାଇଁ ମନୋନୟନ କମିଟି କିଛି ନାଁ ସୁପାରିଶ କରିଥାଏ। ହେଲେ ସରକାର ହିଁ ଜଣଙ୍କୁ ନିଯୁକ୍ତି ଦେଇଥାନ୍ତି ବୋଲି ସୁବ୍ରମଣ୍ୟମ ଯୁକ୍ତି ରଖିଛନ୍ତି।ଏହାପରେ ଡିସେମ୍ବର ୫କୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟା କରିଛନ୍ତି କୋର୍ଟ।

ପ୍ରକାଶ ଥାଉକି, ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଓ ଆଲୋକ ବର୍ମାଙ୍କ ମଧ୍ୟରେ ବିବାଦ ଯୋଗୁ ଗତ ମାସରେ କେନ୍ଦ୍ର ସରକାର ଦୁହିଁଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଥିଲେ। ଏନେଇ ସୁପ୍ରିମକୋର୍ଟରେ ଆବେଦନ ହେବା ପରେ ଜଷ୍ଟିସ ଏ. କେ. ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସିଭିସି ତଦନ୍ତ କରି କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଥିଲା।

You might also like