ମମତାଙ୍କୁ ସିବିଆଇ ଝଟ୍‌କା: ସକାଳୁ ସକାଳୁ ସହଯୋଗୀଙ୍କୁ ଉଠାଇ ନେଲା କେନ୍ଦ୍ରୀୟ ସଂସ୍ଥା

ସକ୍ରିୟ ହେଲା ସିବିଆଇ

କୋଲକାତା: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଇନିଂସ ଆରମ୍ଭ କରୁ କରୁ ମମତା ବାନାର୍ଜୀଙ୍କୁ ବଡ଼ ଝଟକା ଲାଗିଛି। କିଛିଦିନ ପୂର୍ବରୁ ମନ୍ତ୍ରୀ ଭାବେ ଶପଥ ନେଇଥିବା ମମତାଙ୍କ କ୍ୟାବିନେଟର ଫିରହଦ ହାକିମଙ୍କୁ ସିବିଆଇ ଉଠାଇ ନେଇଛି। ନାରଦା ଷ୍ଟିଙ୍ଗ ମାମଲାରେ ତାଙ୍କୁ ସିବିଆଇ ଉଠାଇ ନେଇଛି ବୋଲି ନିଜେ ଫିରହଦ କହିଛନ୍ତି। ଫିରହଦଙ୍କ ସହ ଅନ୍ୟତମ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଏବଂ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ସିବିଆଇ ଆଜି ସକାଳୁ ଉଠାଇ ନେଇଛି।

ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି କିଛିଦିନ ପୂର୍ବରୁ ରାଜ୍ୟପାଳ ଜଗଦୀପ ଧନକର ଅନୁମତି ଦେଇଥିଲେ। ଫିରହଦ ଓ ଶୋଭନଙ୍କୁ ସେମାନଙ୍କ ବାସଭବନରୁ ସିବିଆଇ ଉଠାଇ ନେଇଥିବା ଜଣାପଡ଼ିଛି। ସେପଟେ ସିବିଆଇ ପକ୍ଷରୁ ଏହି ନେତାଙ୍କ ବାସଭବନରେ ଚଢାଉ ମଧ୍ୟ ଜାରି ରହିଛି। ବିଧାନସଭା ନିର୍ବାଚନ ପୂର୍ବରୁ ଶୋଭନ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ହେଲେ ସେଠାରେ ତାଙ୍କୁ ଟିକେଟ ନ ମିଳିବାରୁ ସେ ପୁଣି ବିଜେପି ଛାଡ଼ି ଦେଇଥିଲେ।

ଏଠାରେ କହିରଖୁଛୁ ଯେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଗତ ୫ ତାରିଖରେ ଶପଥ ନେଇଥିଲେ ମମତା ବାନାର୍ଜୀ। କୋଭିଡ୍ କଟକଣା ଭିତରେ ମମତା କୋଲକାତା ରାଜଭବନରେ ଶପଥ ନେଇଥିଲେ। ରାଜ୍ୟର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି ମମତା। କୋଲକାତା ରାଜଭବନରେ ସ୍ୱଳ୍ପ ଅତିଥିଙ୍କ ଉପସ୍ଥିତିରେ ଏହି ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ରାଜ୍ୟପାଳ ଜଗଦୀପ ଧନକର ମମତାଙ୍କୁ ଶପଥପାଠ କରାଇଥିଲେ।

You might also like