ତାମିଲନାଡୁ ଡିଜିପି ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରେ ରେଡ୍

ବହୁ ଚର୍ଚ୍ଚିତ ତାମିଲନାଡ଼ୁ ଗୁଟଖା ଦୁର୍ନୀତି ମାମଲା

ଚେନ୍ନାଇ: ବହୁ ଚର୍ଚ୍ଚିତ ତାମିଲନାଡ଼ୁ ଗୁଟଖା ଦୁର୍ନୀତି ମାମଲାରେ ବଡ଼ ଧରଣର ରେଡ୍ ହୋଇଛି। ତାମିଲନାଡ଼ୁ ଡିଜିପି ଟିକେ ରାଜେନ୍ଦ୍ରନ୍‌ଙ୍କ ଘରେ ସିବିଆଇ ଚଢ଼ଉ କରିଛି। ଡିଜିପିଙ୍କ ଚେନ୍ନାଇ ସ୍ଥିତ ମୋଗାପେର୍ ବାସଭବନରେ ଯାଞ୍ଚ ହୋଇଛି। ଏହାସହ ସ୍ୱାସ୍ଥମନ୍ତ୍ରୀ ସି. ବିଜୟଭାସ୍କରଙ୍କ ଘରେ ରେଡ଼୍‌ ହୋଇଛି। ତାମିଲନାଡ଼ୁର ପୂର୍ବତନ ଡିଜିପି ଏସ୍ ଜର୍ଜ ଏବଂ ବହୁ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ଘରେ ଏକକାଳୀନ ଚଢ଼ଉ ହୋଇଛି।

୪୦ରୁ ଅଧିକ ସ୍ଥାନରେ ସିବିଆଇ ଟିମ୍ ଯାଞ୍ଚ କରୁଛି। ମିଳିଥିବା ସୂଚନା ମୁତାବକ ଗୁଟଖା ଦୁର୍ନୀତି ସମ୍ପର୍କୀତ କିଛି ତଥ୍ୟ ସିବିଆଇକୁ ମିଳିଛି। ତାମିଲନାଡ଼ୁରେ ୩୯ କୋଟିରୁ ଅଧିକ ଟଙ୍କାର ଗୁଟଖା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବେଆଇନ ଭାବେ ଗୁଟଖା ନିର୍ମାଣ ଏବଂ ଏହାକୁ ବିକ୍ରି ପାଇଁ ପ୍ରୋତ୍ସାହନ ମିଳିଥିବା ଜଣାପଡ଼ିଛି। ଏତେ ବଡ଼ ଦୁର୍ନୀତିକୁ ନେଇ ଆୟକର ବିଭାଗ ତାମିଲନାଡ଼ୁ ମୁଖ୍ୟ ଶାସନ ସଚିବଙ୍କୁ ଏକ ଗୁପ୍ତ ଚିଠି ମଧ୍ୟ ଲେଖିଥିଲେ।

ଅଭିଯୋଗ ଅନୁସାରେ ଡିଜିପି ରାଜେନ୍ଦ୍ରନ୍ ମାମଲାକୁ ଚପାଇବା ପାଇଁ ଲାଞ୍ଚ ନେଇଛନ୍ତି। ତେବେ ଅଭିଯୋଗ ପରେ ବି ତାଙ୍କ ପଦବୀକୁ ଆହୁରି ଦୁଇ ବର୍ଷ ପାଇଁ ବଢ଼ାଯାଇଥିବାକୁ ନେଇ ହରଡ଼ଘଣାରେ ତାମିଲନାଡ଼ୁ ସରକାର ପଡ଼ିଛି। ଗୁଟଖା ଦୁର୍ନୀତିକୁ ନେଇ ଡିଏମ୍‌କେ ବିଧାୟକ ଏନ୍ ବାଜହଗନ୍ ମାଡ୍ରାସ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ମାମଲାରେ ସିବିଆଇକୁ ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

You might also like