ସରକାରୀ କର୍ମଚାରୀଙ୍କୁ ଚପଲରେ ପିଟିଲେ ବିଜେପି ନେତ୍ରୀ ସୋନାଲି ଫୋଗାଟ; ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ: ଜଣେ ସରକାରୀ କର୍ମଚାରୀଙ୍କୁ ଚପଲ୍ରେ ମାରିବା ଭିଡିଓ ଭାଇରାଲ୍ ହେବା ପରେ ବିଜେପି ନେତ୍ରୀ ସୋନାଲି ଫୋଗାଟ୍ ବିବାଦ ଘେରକୁ ଆସିଛନ୍ତି। ହରିଆଣାର ହିସାରରେ ଏହି ଘଟଣା ଘଟିଥିବା କୁହାଯାଉଛି। ଭିଡିଓରେ ଯେଉଁ ବ୍ୟକ୍ତିଙ୍କୁ ସୋନାଲି ଚପଲରେ ପିଟୁଛନ୍ତି ସେ ବଲସାମଣ୍ଡ ମାର୍କେଟ୍ କମିଟିର ସେକ୍ରେଟାରୀ ସୁଲ୍ତାନ ସିଂହ ବୋଲି ଜଣାପଡ଼ିଛି।
ଭିଡିଓରେ ସୁଲତାନ ତାଙ୍କୁ ଦୁର୍ବ୍ୟବହାର କରୁଥିବା ସୋନାଲି ଅଭିଯୋଗ କରୁଥିବାର ଶୁଣାଯାଉଛି। ସୋନାଲି କହୁଛନ୍ତି “ କଣ ମୁଁ ତୁମ ଭଳି ଲୋକଙ୍କ ଠାରୁ ଦୁର୍ବ୍ୟବହାର ଶୁଣିବାକୁ ଏଠି କାମ କରୁଛି। ମୋର କଣ କିଛି ସମ୍ମାନ ନାହିଁ। ତୁମକୁ ବଞ୍ଚିବାର କୌଣସି ଅଧିକାର ନାହିଁ।” ସୁଲ୍ତାନ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ୍ କରିଥିବା ସୋନାଲି ପୁଲିସ୍ରେ ଅଭିଯୋଗ ମଧ୍ୟ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ୍ ଉପସ୍ଥିତ ରହି ମଧ୍ୟ ସୋନାଲିଙ୍କୁ ଅଟକାଇବାକୁ ଚେଷ୍ଟା କରିନଥିବା ମାର୍କେଟ୍ ଅଧିକାରୀ କହିଛନ୍ତି।
ଖବର ଅନୁସାରେ, ପୂର୍ବରୁ ସୁଲ୍ତାନଙ୍କ ନାଁରେ ଶଶ୍ୟ କିଣା ପ୍ରକ୍ରିୟାରେ ହେର୍ଫେର୍ ନେଇ କୃଷକଙ୍କ ଅଭିଯୋଗ ପରେ ସୁଲ୍ତାନ ଓ ସୋନାଲୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ଘଟଣା ଏମିତି ମୋଡ଼ ନେଇଥାଇପାରେ ବୋଲି କୁହାଯାଉଛି।
ତେବେ ଭିଡିଓ ଭାଇରାଲ୍ ହେବା ପରେ କଂଗ୍ରେସ ଏହାକୁ ତୀବ୍ର ସମାଲୋଚନା କରିଛି। ଦଳର ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା ଭିଡିଓକୁ ଶେୟାର କରିବା ସହିତ ସୋନାଲିଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର କଣ ନିଷ୍ପତ୍ତି ନେଉଛନ୍ତି ସେ ନେଇ ପ୍ରଶ୍ନ କରିଛନ୍ତି ରଣଦୀପ।
ସେ ଭିଡିଓକୁ ଟ୍ୱିଟ୍ କରି ଲେଖିଛନ୍ତି, “ ଜଣେ ବିଜେପି ନେତ୍ରୀ ଏହି କାଣ୍ଡ ଘଟାଇଛନ୍ତି। ସରକାରୀ ଚାକିରି କରିବା କଣ ଅପରାଧ ? କଣ ଏହା ବିରୋଧରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର କାର୍ଯ୍ୟାନୁଷ୍ଠାନ ନେବେ ? ।”
ପ୍ରକାଶ ଥାଉକି, ଟିକ୍ଟକ୍ ଷ୍ଟାର୍ରୁ ଫେମସ୍ ହୋଇଥିବା ସୋନାଲି ବିଜେପି ପକ୍ଷରୁ ୨୦୧୯ ହରିଆଣା ବିଧାନସଭା ନିର୍ବାଚନ ଲଢ଼ି କଂଗ୍ରେସର କୁଲ୍ଦୀପ ବିଷ୍ଣୋୟୀଙ୍କ ଠାରୁ ପରାସ୍ତ ହୋଇଥିଲେ।