ସୀମା ଟପିଲା ବର୍ବରତା, ଡାକ୍ତରଙ୍କୁ ବିଧା-ଗୋଇଠା ମାରିଲେ ଲୋକେ

ହୋଜାଇ: ଆସାମରେ ସୀମା ଟପିଛି ବର୍ବରତା । କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରୁଥିବା ଜଣେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆସାମର ହୋଜାଇସ୍ଥିତ ଏକ କୋଭିଡ୍ ହସ୍ପିଟାଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚିକିତ୍ସା ଅବହେଳା ଅଭିଯୋଗରେ ଡାକ୍ତରଖାନା ପରିସରରେ କିଛି ବ୍ୟକ୍ତି ଡାକ୍ତର ସିଉଜ କୁମାର ସେନାପତିଙ୍କୁ ଆକ୍ରମଣ କରିଥିଲେ ।

ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ବିଧା, ଗୋଇଠା ମାରିବା ସହ ଇଟା ମାଡ଼ କରିଥିବା ଦେଖାଯାଇଛି । ଏହି ବର୍ବର ଆକ୍ରମଣର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପରିକି ସେଠାରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଲୋକ ମଧ୍ୟ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ରୋଗୀଙ୍କ ସଂପର୍କୀୟମାନେ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିଥିଲେ ।

ତେବେ ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗରେ ଏପର୍ଯ୍ୟନ୍ତ ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଖୁବଶୀଘ୍ର ସେମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ପୋଲିସ କହିଛି । ସେପଟେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବ୍ୟକ୍ତିଗତ ଭାବେ ଘଟଣାର ଅନୁଧ୍ୟାନ କରୁଛନ୍ତି ବୋଲି କୁହାଯାଇଛି । କୋଭିଡ୍ ଯୋଦ୍ଧାଙ୍କ ପ୍ରତି ଏଭଳି ବର୍ବର ଆକ୍ରମଣକୁ ସହ୍ୟ କରାଯିବ ନାହିଁ ବୋଲି ସେ ଟ୍ୱିଟ୍ କରି ସୂଚାଇଛନ୍ତି ।

ଅନ୍ୟପଟେ ଆସାମରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ପକ୍ଷରୁ ନିନ୍ଦା କରାଯାଇଛି । ଏହା ଘଟଣା ବିରୋଧରେ ଗୌହାଟୀ ମେଡିକାଲ କଲେଜ ପରିସରରେ ଡାକ୍ତରମାନେ ପ୍ରତିବାଦ କରିଛନ୍ତି ମଧ୍ୟ କରିଥିବା ଦେଖାଯାଇଛି ।

You might also like