ବିମାନ ପାଇଲଟ୍‌ଙ୍କ ଉପରେ ଆକ୍ରମଣ କଲା ବିଲେଇ: ଆଉ ତା ପରେ….

ଚଳନ୍ତା ବିମାନରେ ବିଲେଇ?

ନୂଆଦିଲ୍ଲୀ: ଚଳନ୍ତା ବିମାନର କକପିଟ୍‌ରେ ବିଲେଇ ପଶି ପାଇଲଟଙ୍କୁ କଲା ଆକ୍ରମଣ। ଯାହା ଲାଗି ବିମାନକୁ ଜରୁରୀ ଅବତରଣ କରିବା ଲାଗି ପଡିଛି। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ ଓ ଭାବୁଥିବେ ବିମାନ ମଧ୍ୟକୁ ବିଲେଇ ଗଲା କେମିତି? ସୂଚନା ଅନୁସାରେ, ସୁଡାନର ଏକ ଯାତ୍ରୀବାହୀ ବିମାନରେ ଅଦ୍ଭୁତ ଘଟଣା ଘଟିଥିଲା। ଯେଉଁଥି ପାଇଁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଛି। ଏହି ବିମାନର କକପିଟରେ ଏକ ବିଲେଇ ପଶି ଆସି ପାଇଲଟ ଉପରେ ଆକ୍ରମଣ କରିଥିଲା। ଯାହା ଫଳରେ ନିର୍ଦ୍ଧାରିତ ସମୟରେ ଉଡାଣ ଭରିପାରିନଥିଲା ବିମାନ।

ସୁଡାନରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଟାର୍କୋ ଏଭିଏସନର ବିମାନ(ବିମାନ ସଂଖ୍ୟା ୩ଟି-୨୩୪) ସୁଡାନ ରାଜଧାନୀ ଖାର୍ତୁମରୁ ଦୋହା ଅଭିମୁଖେ ଯାତ୍ରା କରୁଥିଲା। ଯାତ୍ରା ଆରମ୍ଭ କରିବାର ଅଧା ଘଣ୍ଟା ମଧ୍ୟରେ ଏହି ଘଟଣା ଘଟିଥିଲା। ଏହାପରେ ବିମାନ ଖାର୍ତୁମ ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। କିନ୍ତୁ ଏତେ କଡା ସୁରକ୍ଷା ମଧ୍ୟରେ ବିମାନ ମଧ୍ୟକୁ ବିଲେଇ କେମିତି ପଶିଲା ତାହାକୁ ନେଇ ଚର୍ଚା ଚାଲିଛି। ନିୟମ ଅନୁସାରେ ବିମାନ ଉଡ଼ାଣ ଭରିବା ପୂର୍ବରୁ କଡ଼ା ଯାଂଚ କରାଯାଇଥାଏ। କିନ୍ତୁ ଏହି ଯାଂଚ ସମୟରେ ଏହି ଘଟଣା କେମିତି ଜଣାପଡିଲା ନାହିଁ ସେନେଇ ତଦନ୍ତ ଆରମ୍ଭ ହୋଇଛି।

ଏୟାରଲାଇନ୍ସ ଯାଞ୍ଚରୁ ଜଣାପଡ଼ିଛି କି, ବିଲେଇ ବିମାନ ବନ୍ଦରରେ ସେତେବେଳେ ଚଢ଼ି ଯାଇଥିଲା ଯେତେବେଳେ ହ୍ୟାଙ୍ଗର ସଫେଇ ପାଇଁ ଛିଡ଼ା ହୋଇଥିଲା। କୁହାଯାଉଛି କି ବିଲେଇଟି କୌଣସି ଯାତ୍ରୀଙ୍କ ପୋଷା ଥିଲା। ତେବେ କୌଣସି ବିଲେଇ ବିମାନର କକପିଟରେ କ୍ୟାପଟନ ଉପରେ ଆକ୍ରମଣ କରିବା କିଛି ନୂଆ କଥା ନୁହେଁ। ୨୦୦୪ରେ ବ୍ରୁସେଲ୍ସ ଏୟାରଲାଇନ୍ସର ପାଇଲଟ ଉପରେ ବିଲେଇ ଆକ୍ରମଣ କରିଥିଲା। ଆକ୍ରମଣ କରିଥିବା ବିଲେଇଟି ଜଣେ ଯାତ୍ରୀଙ୍କ ପୋଷା ଥିଲା।

ଯାହାବି ହେଉ, ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ସରକାର ମଧ୍ୟ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଏହାସହ ସେହି ବିମାନରେ ଯାତ୍ରା କରୁଥିବା ଯାତ୍ରୀ କହିଛନ୍ତି ଯେ,ବିଲେଇ ପାଇଲଟ୍‌ଙ୍କ ଉପରେ ଆକ୍ରମଣ କରିଥିବାରୁ ଠିକ୍‌ ସମୟରେ ଉଡାଣ ଭରିପାରିନଥିଲା ବିମାନ। ତେଣୁ ଆମେ ନିଜ ଗନ୍ତବ୍ୟସ୍ଥଳରେ ସଠିକ ସମୟରେ ପହଂଚି ପାରିନଥିଲୁ। ବିମାନ ବନ୍ଦରରେ ଏତେ କଡା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କିପରି ପରିସ୍ଥିତିରେ ଏହି ଘଟଣା ଘଟିଲା ତାହାର ତଦନ୍ତ ହେବା ନିହାତି ଦରକାରଏବଂ ଆଗାମୀ ଦିନରେ ଯେମିତି ଏପରି ଘଟଣା ନଘଟିବ ସେଥିପ୍ରତି ଧ୍ୟାନ ବି ଦେବା ଦରକାର ବୋଲି ସେ କହିଛନ୍ତି।

You might also like