‘ବାବା କା ଢାବା’ର ମାଲିକଙ୍କ ଅଭିଯୋଗ ଆଧାରରେ ୟୁଟ୍ୟୁବରଙ୍କ ବିରୋଧରେ ପୋଲିସ୍‌ର ଆକ୍ସନ

ନୂଆଦିଲ୍ଲୀ: ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ୍‌ ୟୁଟ୍ୟୁବର ଗୌରବ ବାସନ୍‌ଙ୍କ ବିରୋଧରେ ଶୁକ୍ରବାର ଦିନ ଏକ ମାମଲା ରୁଜୁ କରିଛି। section 420 ଅଧିନରେ ଗୌରବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଲୋକମାନେ କରିଥିବା ସହାୟତା ଟଙ୍କାକୁ ଗୌରବ ଉଠାଇ ନେବା ଅଭିଯୋଗରେ ଦିଲ୍ଲୀର ମାଲ୍‌ବିୟା ନଗର ପୋଲିସ୍‌ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗୌରବ ତାଙ୍କୁ ଠକିଥିବା ନେଇ ଅକ୍ଟୋବର ୩୧ରେ କାନ୍ତା ପୋଲିସ୍‌ରେ ଅଭିଯୋଗ କରିଥିଲେ।

କାନ୍ତା ଅଭିଯୋଗ ଆଣିଥିଲେ ଯେ, ଗୌରବ ଜାଣିଶୁଣି  ନିଜର ଓ ନିଜ ପରିବାରର, ସାଙ୍ଗସାଥୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ବିବରଣୀ ଓ ମୋବାଇଲ୍‌ ନମ୍ବର ଆର୍ଥିକ ସହାୟତା କରିଥିବା ଲୋକଙ୍କ ସହ ଶେଆର କରିଥିଲେ। ଏହାସହ ସହାୟତା ପାଇଁ ଆସିଥିବା ଟଙ୍କାକୁ ତାଙ୍କ ଅଜାଣତରେ ଗୌରବ ବିଭିନ୍ନ ପେମେଣ୍ଟ ମାଧ୍ୟମରେ ସଂଗ୍ରହ କରିଛନ୍ତି।

ଅକ୍ଟୋବରରେ ‘ବାବା କା ଢାବା’ର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଭିଡିଓରେ ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ କାନ୍ଦୁଥିବା ଦେଖିବାକୁ ମିଳିଥିଲା। କରୋନା ମହାମାରୀ ଯୋଗୁ ତାଙ୍କ ଆୟ ୧୦୦ଟଙ୍କାରୁ କମ୍‌ ହୋଇଯାଇଥିବା ସେ କାନ୍ଦି କାନ୍ଦି କହୁଥିବା ନଜର ଆସିଥିଲା। ଏହି ଭିଡିଓକୁ ୟୁଟ୍ୟୁବର ଗୌରବ ବାସନ୍ ଶୁଟିଂ କରି ଏହାକୁ ତାଙ୍କର ଚ୍ୟାନେଲ୍‌ ଅପଲୋଡ୍‌ କରିବା ସହ ବୃଦ୍ଧ ଦମ୍ପତିଙ୍କୁ ସହାୟତା କରିବା ପାଇଁ ଅନୁରୋଧ କରିଥିଲେ। ଭିଡ଼ିଓଟି ଭାଇରାଲ୍‌ ହେବା ପରେ ଏଦି ଦମ୍ପତିଙ୍କୁ ଅନେକ ବଡ ଲୋକ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।

ବୃଦ୍ଧ ଦମ୍ପତିଙ୍କୁ ସହାୟତା କରିବା ପାଇଁ ଗୌରବଙ୍କ ଆକାଉଣ୍ଟକୁ କିଛି ଦିନ ଭିତରେ ଲକ୍ଷାଧିକ ଟଙ୍କାର ସହାୟତା ଆସିଥିଲା। ହେଲେ ଏହି ଟଙ୍କାକୁ ଗୌରବ ହଡ଼ପ କରିବା ସହ ତାଙ୍କୁ ଠକିଥିବା ନେଇ କାନ୍ତା ଅଭିଯୋଗ ଆଣିଥିଲେ।

You might also like