ବନେଟ ଉପରେ ପୋଲିସକୁ ଝୁଲାଇ ପଳାଇ ଯାଉଥିଲେ ଡ୍ରାଇଭର, ତା’ ପରେ….

ଅମ୍ରିତସର: ଚିନ୍ତା ବଢାଉଛି କରୋନା। କରୋନା ସଂକ୍ରମଣ ରୋକିବା ପାଇଁ ୨ୟ ପର୍ଯ୍ୟାୟ ଳକ୍‌ଡାଉନ ଅବଧି ଶେଷ ହେବା ପୂର୍ବରୁ  ସାରାଦେଶରେ ଜାରି କରି ଦିଆଯାଇଛି ୧୪ ଦିନିଆ ୩ୟ ପର୍ଯ୍ୟାୟ ଲକ୍‌ଡାଉନ। ହେଲେ ଅମାନିଆ ଲୋକଙ୍କର ସେଥିକି ଖାତିର ନାହିଁ। ସେମାନଙ୍କ ସ୍ୱାସ୍ଥ୍ୟ ଚିନ୍ତା ଯେମିତି ପୋଲିସକୁ ଘାରିଛି।  ସେଥିପାଇଁ ଏହି ଲକ୍‌ଡାଉନ ନିୟମ ପାଳନ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ୁଛି।

ପଞ୍ଜାବର ଜଳନ୍ଧର ଇଲାକାରେ ଅମାନିଆ ଲୋକଙ୍କ ଜଗିଛି ପୋଲିସ। ତଥାପି ଲୋକେ ମାନୁ ନ ଥିବାରୁ ପୋଲିସ ସେମାନଙ୍କ ଗାଡ଼ି ଅଟକାଇ ଯାଞ୍ଚ କରୁଛି। ହେଲେ ଏପରି ଗାଡ଼ି ଅଟକାଇବା ପୋଲିସ ଏଏସଆଇ ମୁଲ୍‌କରାଜଙ୍କ ପାଇଁ ମହଙ୍ଗା ପଡ଼ିଛି।

ଆଜି ସକାଳର ଘଟଣା।  ଜଳନ୍ଧର ମିଲ୍କବାର୍ ଛକରେ ପୋଲିସ୍ ଲକ୍‌ଡାଉନ୍ ନିୟମ ମୁତାବକ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ଜଣେ ଯୁବକ କାର୍ ନେଇ ଆସିଲେ ଏବଂ ଦ୍ରୁତ ଗତିରେ ପଳାଇ ଯିବାକୁ ଚେଷ୍ଟା କରିଥିଲେ। ପୋଲିସ୍ ସଂପୃକ୍ତ ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ସେ ଅଟକି ନ ଥିଲେ।

ଚେକ୍ ପୋଷ୍ଟରେ ନଅଟକିବାରୁ ପୋଲିସ ଏଏସଆଇ ମୁଲକ୍‌ରାଜ ତାଙ୍କୁ ଅଟକାଇବା ପାଇଁ ଗାଡ଼ି ସାମ୍ନାକୁ ଚାଲି ଆସିଥିଲେ।  ହେଲେ ସଂପୃକ୍ତ ଯୁବକ ଗାଡି ଅଟକାଇ ନ ଥିଲେ। ଏଏସ୍ଆଇ ମୁଲକ୍‌ରାଜ ଜୀବନ ବଞ୍ଚାଇବାକୁ ତାଙ୍କ ଗାଡି ବୋନେଟ୍ ଉପରେ ଚଢି ଯାଇଥିଲେ। ତଥାପି ସଂପୃକ୍ତ ଯୁବକ ଦ୍ରୁତ ଗତିରେ ଗାଡ଼ି ନେଇ ପଳାଇଯିବାକୁ ବସିଥିଲେ।  ମୁଲକ୍‌ରାଜ୍‌ ବୋନେଟ୍‌ରେ ଝୁଲି କିଛି ଦୂର ଯିବା ପରେ ଡ୍ୟୁଟିରେ ଥିବା ଅନ୍ୟ ପୋଲିସ୍ ଅଧିକାରୀ ତାଙ୍କୁ କାବୁ କରିଥିଲେ।

ପରେ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି।

ସୂଚନାଥ ଥାଉ କି, ପୂର୍ବରୁ ବି ପଟିଆଲାରେ ଏସ୍ଆଇ ହରଜିତ୍ ସିଂହଙ୍କୁ ଡ୍ୟୁଟି ବେଳେ ଆକ୍ରମଣ କରିବା ସହ ତାଙ୍କ ହାତକୁ କାଟି ଦେଇଥିଲେ ଦୁବୃର୍ତ୍ତ। ତେଣୁ ଉଦ୍ଦେଶ୍ୟମୂଳକ ଭାବେ  ଗାଡ଼ି ଚଢାଇ ପୋଲିସ ଉପରକୁ ଏପରି ଆକ୍ରମଣ କରାଯାଉଥିଲା ନା ଏହାର ପଛରେ ଆଉ କିଛି ଉଦ୍ଦେଶ୍ୟ ଅଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ।

You might also like