କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଗୋଲ୍ଡ ମେଡାଲିଷ୍ଟ ପାଇଲଟ

କୋଝିକୋଡ଼େ: କେରଳର କାରିପୁର ଏୟାରପୋର୍ଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରକ୍ରାଫ୍ଟର କ୍ରାସ ଲ୍ୟାଣ୍ଡିଂ ଯୋଗୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୩ ଜଣ ଆହତ ହୋଇଛନ୍ତି। ୧୨୩ ଆହତଙ୍କ ମଧ୍ୟରୁ ୧୫ ଗୁରୁତର ଥିବା ସୂଚନା ମିଳିଛି। ମୃତାହତ ହୋଇଥିବା ନେଇ ମାଲାପୁରମ୍ ଜିଲ୍ଲା ଏସ୍‌ପି ସୂଚନା ଦେଇଛନ୍ତି। ମୃତ ପାଇଲଟ୍‌ଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଭାରତୀୟ ବାୟୁସେନା (IAF) ଟେଷ୍ଟ ପାଇଲଟ କ୍ୟାପଟେନ ଦୀପକ ବସନ୍ତ ସାଥେ।

ବସନ୍ତ ଜଣେ ପୁରସ୍କାର ପ୍ରାପ୍ତ ପାଇଲଟ୍। ତାଙ୍କର ବୋଇଙ୍ଗ ୭୩୭ ବିମାନ ଉଡ଼ାଇବାରେ ବହୁତ ଅଭିଜ୍ଞତା ରହିଥିଲା। ତାଙ୍କ ବିଷୟରେ ସୂଚନ ଦେଇ ଜଣେ ଅଧିକାରୀ କହିଛନ୍ତି, “ସେ ଜଣେ ପ୍ରଫେସନାଲ ପାଇଲଟ ଥିଲେ। ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ତାଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସେ ବାୟୁସେନା ପାଇଁ ଟେଷ୍ଟ ପାଇଲଟ ଥିଲେ।”

ସୂଚନା ଅନୁଯାୟୀ, କ୍ୟାପଟେନ ସାଥେ ଏୟାର ଇଣ୍ଡିଆ ପାଇଁ ଏୟାରବସ୍ ୩୧୦ ଉଡାଉଥିଲେ। ବସନ୍ତ ଏକ ଏୟାର ଫୋର୍ସ ଏକାଡେମୀରେ ଶୋର୍ଡ ଅଫ୍‌ ଅନର ଜିତିଥିଲେ। ଏବଂ ଯୁଦ୍ଧ ବିମାନ ଉଡ଼ାଇବାରେ ସେ ଜଣେ ସଫଳ ପାଇଲଟ୍ ଥିଲେ।

ଏୟାର ଇଣ୍ଡିଆ‌ IX-1344 ଫ୍ଲାଇଟ୍ ଟି ଦୁବାଇରୁ ୧୯୧ଜଣଙ୍କୁ ନେଇ ଆସୁଥିବା ବେଳେ ଲ୍ୟାଣ୍ଡିଂ ସମୟରେ ଭାରାସାମ୍ୟ ହରାଇବାରୁ କ୍ରାସ୍ ହୋଇ ବିମାନଟି ଖଣ୍ଡବିଖଣ୍ଡିତ ହୋଇଯାଇଛି। ଏୟାରପୋର୍ଟ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ବେଳେ ସନ୍ଧ୍ୟା ୭.୪୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି। ବିମାନ ଦୁର୍ଘଟଣା ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

 

You might also like