’ସ୍ତ୍ରୀ ସ୍ଥାବର ସମ୍ପତ୍ତି ନୁହେଁ କି ଗୁଲାମ ନୁହେଁ’

ସାଥୀରେ ରହିବାକୁ ବାଧ୍ୟ କରିପାରିବେ ନାହିଁ ସ୍ୱାମୀ : ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ’ସ୍ତ୍ରୀ କୌଣସି ସ୍ଥାବର ସମ୍ପତ୍ତି ନୁହେଁ କିମ୍ବା କୌଣସି ପ୍ରକାର ବସ୍ତୁ ନୁହେଁ। ନା ସେ ଜଣେ ଗୁଲାମ,  ସେ ବି ଜଣେ ସାଧାରଣ ମଣିଷ।’ ସ୍ତ୍ରୀ ସହ ରହିବା ପାଇଁ ଇଚ୍ଛା ଥିଲେ ସୁଦ୍ଧା ସ୍ୱାମୀ କଦାପି ତାଙ୍କ ଉପରେ ଚାପ ସୃଷ୍ଟି ପାରିବେ ନାହିଁ। ସ୍ୱାମୀ, ସ୍ତ୍ରୀଙ୍କ ସମ୍ପର୍କକୁ ନେଇ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟରେ ମଙ୍ଗଳବାର ଜଣେ ବ୍ୟକ୍ତି କରିଥିବା ଆବେଦନର ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି। ଏହି ମାମଲା ପାଇଁ ଆବେଦନ କରିଥିବା ସ୍ୱାମୀ ଜଣକ, ସ୍ତ୍ରୀ ସହ ପୁଣି ରହିବା ସହ ଏକ ସଙ୍ଗେ ନୂଆ ଜୀବନ ଆରମ୍ଭ କରିବା ପାଇଁ ତାଙ୍କୁ ଆଦେଶ ଦିଆଯାଉ ବୋଲି ଅନୁରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ସୁପ୍ରିମକୋର୍ଟ ଏଥିରେ ଅସନ୍ତୁଷ ପ୍ରକାଶ କରିବା ସହ ଜଷ୍ଟିସ୍ ସଞ୍ଜୟ କିଶନ କୋଲ ଓ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ, ‘ତୁମେ କ’ଣ ଭାବୁଛ? ପତ୍ନୀ ଏକ ବସ୍ତୁ, ଯାହାକୁ ଆମେ ଆଦେଶ ଦେବା ?  ମନ ଇଚ୍ଛା ବ୍ୟବହାର କରିବା . . ସ୍ତ୍ରୀ କୌଣସି ସ୍ଥାବର ସମ୍ପତ୍ତି ନୁହେଁ, ଯାହାଙ୍କୁ ଆମେ ଆପଣଙ୍କ ସହ ଯିବାପାଇଁ ଆଦେଶ ଦେବୁ ? ସେ ତାଙ୍କ ଇଚ୍ଛା ହେଲେ ଯିବେ, ଏ ନିଷ୍ପତ୍ତି ତାଙ୍କ ଉପରେ ନିର୍ଭର କରେ।’

ହିନ୍ଦୁ ବିବାହ ଅଧିନିୟମର ଧାରା ୯ ଆଧାରରେ ପୁରୁଷଙ୍କ ପକ୍ଷରେ ସାମ୍ବାଧାନିକ ଅଧିକାର ନେଇ ଗତ ୨୦୧୯ ଏପ୍ରିଲ ୧ ତାରିଖରେ  ଗୋରଖପୁରର ଏକ ଫ୍ୟାମିଲି କୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ । ପତ୍ନୀ ଜଣଙ୍କ ସେତେବେଳେ ଫ୍ୟାମିଲି କୋର୍ଟରେ ନିଜ ପକ୍ଷ ରଖି କହିଥିଲେ ୨୦୧୩ରେ ବିବାହ ପରଠୁ ସ୍ୱାମୀ ଯୌତୁକ ପାଇଁ ତାଙ୍କ ଉପରେ ଅତ୍ୟାଚାର କରୁଥିଲେ।  ତେଣୁ ଇଚ୍ଛା ନଥିଲେ ସୁଦ୍ଧା କୌଣସି ଉପାୟ ନପାଇ ତଥା ଅତ୍ୟାଚାରରେ ଅତିଷ୍ଠ ହୋଇ ସେ ବାଧ୍ୟ ହୋଇ ଅଲଗା ରହିବା ପାଇଁ ଚାହୁଁଛନ୍ତି ।  ତେବେ ଛାଡ଼ପତ୍ର ଆବେଦନ କରି୨୦୧୫ରେ ସେ ସ୍ୱାମୀଠାରୁ ଭରଣପୋଷଣ ଓ ଭତ୍ତା ପାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ ।

ପତ୍ନୀଙ୍କୁ ମାସିକ ୨୦ ହଜାର ଟଙ୍କା ଦେବା ପାଇଁ ପତିଙ୍କୁ ଆଦେଶ ଦେଇଥିଲେ ଗୋରଖପୁରର ଫ୍ୟାମିଲି କୋର୍ଟ  । ଏହାପରେ ସ୍ୱାମୀ ପୁଣି ଥରେ ଫ୍ୟାମିଲି କୋର୍ଟର  ଦ୍ୱାରସ୍ଥ ହୋଇ ନିଜ ସାମ୍ବିଧାନିକ ଅଧିକାର ବଞ୍ଚାଇ‍ବା ପାଇଁ ପ୍ରାର୍ଥନା କରିଥିଲେ । କିନ୍ତୁ ଏଥିରେ ନିରାଶ ହୋଇଥିଲେ । ତେବେ ଗୋରଖପୁର ପରିବାର କୋର୍ଟ ଦ୍ୱିତୀୟ ଥର ପାଇଁ ସମାନ ନିର୍ଦ୍ଦେଶ ଦେଇଥିଲେ, ଏହା ପରେ ସ୍ୱାମୀ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଫ୍ୟାମିଲି କୋର୍ଟର ଆଦେଶକୁ କାଏମ ରଖି ମାମଲାକୁ ଖାରଜ କରିଦେଇଥିଲେ। ସେପଟେ ଭରଣ ପୋଷଣ ଓ ଭତ୍ତା ଦେବାରୁ ବର୍ତ୍ତିବା ପାଇଁ ସ୍ୱାମୀଜଣଙ୍କ ଏପରି ନାଟକ କରୁଥିବା  ପତ୍ନୀଙ୍କ ଓକିଲ ଅନୁପମ ମିଶ୍ରଙ୍କ ଜରିଆର କୋର୍ଟରେ କହିଥିଲେ।

ଶେଷରେ ଆବେଦନକାରୀ ଜଣକ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠାରେ ବି ସ୍ୱାମୀଙ୍କ ଅନୁରୋଧକୁ ସୁପ୍ରିମକୋର୍ଟର ଖଣ୍ଡପୀଠ ପ୍ରତ୍ୟାଖ୍ୟାନ କରିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ପାଇଁ କେସ ଲଢ଼ୁଥିବା ଓକିଲଙ୍କୁ ବେଞ୍ଚ କହିଛନ୍ତି, ସଂପୃକ୍ତ ବ୍ୟକ୍ତି କିପରି ଏତେ ଦାୟିତ୍ୱହୀନ ବ୍ୟବହାର କରୁଛନ୍ତି? ସେ ମହିଳାଙ୍କୁ ସ୍ଥାବର ସମ୍ପତ୍ତି ପରି ବ୍ୟବହାର କରୁଛନ୍ତି, ସେ ମଣିଷ , ଏକ ବସ୍ତୁ ନୁହେଁ। ଏଭଳି ମୂଲ୍ୟହୀନ ଆବେଦନ ଉପରେ କୌଣସି ଆଦେଶ ଦେବାର ପ୍ରଶ୍ନ ଉଠୁନାହିଁ।

You might also like