ବଦଳିଲା ଶିକ୍ଷାନୀତି; ଅଧାରୁ ପାଠ ଛାଡ଼ିଲେ ବି ମିଳିବ ସାର୍ଟିଫିକେଟ୍

ନୂଆଦିଲ୍ଲୀ: ଦେଶରେ ବଦଳିଲା ଶିକ୍ଷାନୀତି। ବ୍ୟାଙ୍କ ପାସ୍ ବୁକ୍ ଭଳି ଉଚ୍ଚ ଶିକ୍ଷା ପାଇଁ ବି କ୍ରେଡିଟ୍ କୋର୍ସ ବ୍ୟବସ୍ଥା ରହିବ। ୪ ବର୍ଷର ଡିଗ୍ରୀ କୋର୍ସ ପାଇଁ କୋର୍ସ କ୍ରେଡିଟ ବ୍ୟବସ୍ଥା ରଖିବାକୁ କେନ୍ଦ୍ର ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଆଜି ଏନେଇ ଏକ ସାମ୍ବିଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବ।

ନୂଆ ନୀତି ଅନୁସାରେ, ପ୍ରଥମ ବର୍ଷରୁ ପାଠ ଛାଡ଼ିଲେ ବି ବିଦ୍ୟାର୍ଥୀଙ୍କୁ ସାର୍ଟିଫିକେଟ ମିଳିବ। ଯଦି କୌଣସି କାରଣରୁ ଅଧାରୁ ପାଠରୁ ବିରତି ନେଲେ ବିଦ୍ୟାର୍ଥୀ ଚାହିଁଲେ ସେଇ ପାଠକୁ ପୁଣିଥରେ ପଢ଼ିପାରିବେ। ଗ୍ରେଡ୍ ଅନୁସାରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଏହି ସୁବିଧା ପାଇପାରିବେ। ସବୁ ଉଚ୍ଚଶିକ୍ଷା ପାଇଁ ଗୋଟିଏ ରେଗୁଲେଟୋରୀ ଅଥରିଟି ମଧ୍ୟ ରହିବ।

ଜିଡିପିର ୬% ଶିକ୍ଷା ବ୍ୟବସ୍ଥାରେ ଖର୍ଚ୍ଚ ପାଇଁ ପଲିସିରେ ବ୍ୟବସ୍ଥା କରାଯାଇଛି। ତା ସହିତ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଗଠନ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

ସେହିପରି ପିଲାମାନଙ୍କ ବିଜ୍ଞାନ ଓ ଗଣିତ ଜ୍ଞାନ ବୃଦ୍ଧି ପାଇଁ ପ୍ରୟାସ କରାଯିବ। କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ହେବ। ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଆରମ୍ଭ ହେବ ଧନ୍ଦାମୂଳକ ଶିକ୍ଷା କାର୍ଯ୍ୟକ୍ରମ। ବୋର୍ଡ ପରୀକ୍ଷାର ଗୁରୁତ୍ୱ କମାଇବା ପାଇଁ ଶିକ୍ଷାନୀତିରେ ବ୍ୟବସ୍ଥା ମଧ୍ୟ ହୋଇଛି। ପିଲାଙ୍କ ରିପୋର୍ଟ କାର୍ଡର ଢାଞ୍ଚା ବଦଳାଇବାକୁ ନିଷ୍ପତ୍ତି ହୋଇଛି। ରିପୋର୍ଟ କାର୍ଡରେ ନିଜେ, ସହପାଠୀ ଓ ଶିକ୍ଷକ ରିପୋର୍ଟ ଦେବେ।

କମନ ଏଣ୍ଟ୍ରାନ୍ସ ଦେଇ ଆଡମିଶନ ପାଇଁ ଅଫର କରିବ NTA। ଏଣ୍ଟ୍ରାନ୍ସ ବାଧ୍ୟତାମୂଳକ ହେବନି। ଯିଏ ଚାହିଁବେ, ତେବେ ଯିଏ ଚାହିଁବେ ସେମାନେ ଏଣ୍ଟ୍ରାସ୍ ଦେଇପାରିବେ। ସେହିଭଳି ଅଧାରୁ ପାଠ ଓ ସ୍କୁଲ ଛାଡ଼ିଥିବା ପିଲାଙ୍କୁ ସ୍କୁଲ ପୁଣିଥରେ ସ୍କୁଲ୍‌କୁ ଫେରାଇ ଆଣିବା ବ୍ୟବସ୍ଥା ହେବ।

ଦେଶର ନୂଆ ଜାତୀୟ ଶିକ୍ଷା ନୀତିକୁ କ୍ୟାବିନେଟ୍ ମଂଜୁରୀ ମିଳିଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ନୀତିକୁ ମଂଜୁରୀ ମିଳିବା ପରେ ଏ ସଂପର୍କରେ ଆଜି ବିଧିବଦ୍ଧ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ। ଏହା ସହିତ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁ ପରିବର୍ତ୍ତନ କରାଯାଇ ଶିକ୍ଷା ମନ୍ତ୍ରାଳୟ ରଖାଯାଇଛି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ନିୟନ୍ତ୍ରକ ସଂସ୍ଥା ରହିବ। ଏହା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବା ନେଇ ବିଭାଗ ଯୋଜନା ପ୍ରସ୍ତୁତ କରିଛି।

୨୦୨୦ ଶିକ୍ଷା ନୀତି ଚିଠାରେ ପ୍ରସ୍ତାବ ଥିଲା ଯେ, 10 +2 ବଦଳରେ ତାହା 5+3+3+4 ବ୍ୟବସ୍ଥା ହେବ। ଯାହାକି ୩ରୁ ୧୮ ବର୍ଷ ବୟସ ମଧ୍ୟରେ ରହିବ। ପ୍ରଥମରୁ ତୃତୀୟ ଶ୍ରେଣୀ ମଧ୍ୟରେ ଭାଷା ଓ ଗଣିତକୁ ଅଧିକ ଧ୍ୟାନ ଦିଆଯିବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏପରିକି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ ମାତୃଭାଷାରେ ଶିକ୍ଷାଦାନ କରାଯାଇପାରେ। ୨୦୩୦ ସୁଦ୍ଧା ସ୍କୁଲ ସ୍ତରରେ ଶହେ ପ୍ରତିଶତ ଓ ଉଚ୍ଚ ଶିକ୍ଷାରେ ୫୦ ପ୍ରତିଶତ ନାମଲେଖା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୧୯୮୬ରେ ଦେଶର ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ ହୋଇଥିଲା। ୧୯୯୨ରେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ଏହାର ୩୬ ବର୍ଷ ପରେ ପୁଣି ଥରେ ନୂଆ ଜାତୀୟ ଶିକ୍ଷା ନୀତି ଆଣିଛି କେନ୍ଦ୍ର।

You might also like