ଜାମିଆ ୟୁନିଭର୍ସିଟି ଅଞ୍ଚଳରେ ପୁଣି ଫୁଟିଲା ଗୁଳି

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଗୁଳିକାଣ୍ଡ। ଗତ ରାତିରେ ଗୁଳିକାଣ୍ଡ ଘଟିଛି ଜାମିଆ ୟୁନିଭରସିଟି ଅଞ୍ଚଳରେ । ୪ ଦିନ ଭିତରେ ତୃତୀୟ ଥର ପାଇଁ ଘଟିଛି ଏହି ଗୁଳିକାଣ୍ଡ । ସିଏଏ ବିରୋଧରେ ବିକ୍ଷୋଭ ଚାଲିଥିବା ବେଳେ ଏହି ଘଟଣା ଘଟିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ,  ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଜାମିଆ ଓ ଜାମିଆ ମିଲିଆ ଇସଲାମିକ୍‌ (Jamia Millia Islamia) ଅଞ୍ଚଳକୁ ଆସିଥିଲେ। ସେମାନେ ଜାମିଆ ୟୁନିଭର୍ସିଟିର ୫ ନମ୍ବର ଗେଟ୍‌ରେ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଥିଲେ । ଗୁଳି ଶବ୍ଦ ଶୁଣି ଲୋକେ ଭୟରେ ଏପଟ ସେପଟ ଦୌଡ଼ିଥିଲେ। କିଛି ସମୟ ପାଇଁ ସେଠାରେ ଆତଙ୍କ ଖେଳି ଯାଇଥିଲା । ତେବେ ଗୁଳି କାହା ଦେହରେ ବାଜି ନ ଥିବା ଜଣାଯାଇଛି  । ଗୁଳିକାଣ୍ଡ ପରେ ସେଠାରେ ଲୋକଙ୍କ ଭିଡ଼ ବଢ଼ିଥିଲା।

ଖବର ପାଇବା ସାଙ୍ଗେ ସାଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଏଫଆଇଆର୍ ଦେବାକୁ ପ୍ରତ୍ୟକ୍ଷଦର୍ଶୀଙ୍କୁ କହିବା ସହିତ ତଦନ୍ତର ପ୍ରତିଶ୍ରୁତି ଦିଆଯାଇଛି। ଜାମିଆ ଓ ସାହିନବାଗରେ ଗୁଳିକାଣ୍ଡ ପରେ ସଂପୃକ୍ତ ଅଞ୍ଚଳର ଡିସିପିଙ୍କୁ ହଟାଇ ଦେଇଛନ୍ତି ନିର୍ବାଚନ କମିଶନ ।

ସାଉଥ୍-ଇଷ୍ଟ ଦିଲ୍ଲୀର ଡିସିପି ଚିନ୍ମୟ ବିଶ୍ୱାଳକୁ ହଟାଇ ଅସ୍ଥାୟୀ ଭାବେ ତୁରନ୍ତ ଦାୟିତ୍ୱ ନେବାକୁ କୁମାର ଜ୍ଞାନେଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାୟୀ ଡିସିପି ନିଯୁକ୍ତି ପାଇଁ ୩ ଜଣ ଅଧିକାରୀଙ୍କ ନାଁ ସୁପାରିଶ କରିବାକୁ ଗୃହ ମନ୍ତ୍ରାଳୟକୁ କୁହାଯାଇଛି ।

You might also like