ସଂସଦରେ ସିଏଏକୁ ପ୍ରଶଂସା କଲେ ରାଷ୍ଟ୍ରପତି; ବିରୋଧୀଙ୍କ ତୀବ୍ର ବିରୋଧ

ନୂଆଦିଲ୍ଲୀ: ଆଜିଠାରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେଣ୍ଟ୍ରାଲ ହଲରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଉଦବୋଧନରେ ସରକାରଙ୍କୁ ବିବାଦୀୟ ସିଏଏ ପ୍ରସଙ୍ଗରେ ପ୍ରଶଂସା କରିବା ବେଳେ ବିରୋଧୀ ଦଳଗୁଡ଼ିକ ଏହାର ପ୍ରତିବାଦ କରିଥିଲେ।

ସିଏଏକୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏହି କାରଣରୁ ଆଜି ସିଏଏ ଓ ଏନଆରସିକୁ ବିରୋଧ କରି କଂଗ୍ରେସ ସାଂସଦମାନେ ହାତରେ କଳାପଟି ବାନ୍ଧିଥିଲେ। ସେହିପରି ଗାନ୍ଧିମୂର୍ତ୍ତି ତଳେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ବିକ୍ଷୋଭ କରିଥିଲେ।

ରାଷ୍ଟ୍ରପତି ତାଙ୍କ ଉଦବୋଧନରେ ସରକାରଙ୍କ ସଫଳତା ବକ୍ଷାଣିଛନ୍ତି। ସେ କହିଛନ୍ତି, “ଜାତିର ପିତା ମହାତ୍ମା ଗାନ୍ଧି କହିଥିଲେ ବିଭାଜନ ପରେ ଯଦି ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ସଂଖ୍ୟାଲଘୁମାନେ ଭାରତ ଆସିବେ, ତା’ହେଲେ ସେମାନଙ୍କୁ ଦେଶର ନାଗରିକତା ଦିଆଯିବ। ଆମେ ବାପୁଙ୍କ ନିଷ୍ପତ୍ତି ଓ କଥାକୁ ସମ୍ମାନ ଦେବା ଦରକାର।

ବାପୁଙ୍କ ସ୍ୱପ୍ନଙ୍କୁ ସାକାର କରିବା ପାଇଁ ସଂସଦ ସିଏଏ ପାରିତ କରିଛି। ଏଥିପାଇଁ ମୁଁ ବହୁତ ଖୁସି। ନୂଆ ଭାରତ ଗଠନ ପାଇଁ ଲୋକମାନେ ମୋ ସରକାରଙ୍କୁ ଜନାଦେଶ ଦେଇଛନ୍ତି। ଏବେ ସରକାର ସେହି ଦିଗରେ କାର୍ଯ୍ୟ କରୁଛନ୍ତି। ମୋ ସରକାର ସର୍ବଦା ଆପୋଷ ବୁଝାମଣା ଓ ଗଠନମୂଳକ ବିତର୍କକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଏହାଦ୍ୱାରା ଗଣତନ୍ତ୍ର ଅଧିକ ସୁଦୃଢ଼ ହୋଇପାରିଛି।

ତେବେ ବିକ୍ଷୋଭ ନାଁରେ ହିଂସା ସୃଷ୍ଟି କରିବା ସମାଜ ଓ ଦେଶକୁ ଦୁର୍ବଳ କରିଥାଏ। ଧାରା ୩୭୦ ଓ ୩୫-ଏର ଉଚ୍ଛେଦ ନିଷ୍ପତ୍ତି ସଂସଦରେ ପାରିତ ହୋଇଛି। ଏହା କେବଳ ଏକ ଐତିହାସିକ ନିଷ୍ପତ୍ତି ନୁହେଁ ବରଂ ଏହାଦ୍ୱାରା ଜମ୍ମୁ-କଶ୍ମୀର ଓ ଲଦାଖର ବିକାଶ ହୋଇପାରିବ। ରାମଜନ୍ମ ଭୂମି ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଦେଶବାସୀ ବେଶ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି। ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ମୁଁ ନିନ୍ଦା କରୁଛି। ପାକିସ୍ତାନର ଏହି ଅତ୍ୟାଚାର ପ୍ରତି ବିଶ୍ୱ ସମୁଦାୟ ଦୃଷ୍ଟି ଦେବା ଦରକାର।”

ଅର୍ଥନୀତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମତଦେଇ ରାଷ୍ଟ୍ରପତି କହିଛନ୍ତି, “ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନ କରିବାକୁ ମୋ ସରକାର କାର୍ଯ୍ୟ କରିଆସୁଛି। ଏଥିପାଇଁ ସରକାର ବିଭିନ୍ନ ଷ୍ଟେକ ହୋଲ୍ଡରଙ୍କ ସହ ଆଲୋଚନା କରୁଛନ୍ତି। ବର୍ତ୍ତମାନ ବିଶ୍ୱର ଅର୍ଥନୀତି ହ୍ରାସ ପାଉଥିଲେ ହେଁ ତା’ ତୁଳନାରେ ଆମ ଦେଶର ଅର୍ଥନୀତି ଉପରକୁ ଉଠିଛି। ଏପରି କି ଏଫଡିଆଇ ପରିମାଣ ମଧ୍ୟ ବୃଦ୍ଧି ପାଇଛି। ଖୁବଶୀଘ୍ର ଦେଶରେ ୱାନ ନେଶନ ଓ ୱାନ ରେସନ କାର୍ଡ ମଧ୍ୟ ଲାଗୁ ହେବ।

ସରକାର ବିକାଶ କ୍ଷେତ୍ରରେ ଦେଶକୁ ଆଗେଇ ନେଉଛନ୍ତି। ସବକା ସାଥ୍, ସବକା ବିକାଶ ମନ୍ତ୍ରରେ ସରକାର କାର୍ଯ୍ୟ କରୁଛନ୍ତି। ସରକାର ଆକାଂକ୍ଷା ଜିଲ୍ଲା ଚୟନ କରି ତା’ର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି। ନର୍ଥଇଷ୍ଟର ବିକାଶ ମୋ ସରକାରର ପ୍ରଥମ ଲକ୍ଷ୍ୟ। ମଣିପୁରରେ ସ୍ପୋଟର୍ସ ବିଶ୍ୱବିଦ୍ୟାଳୟ, ଗୌହାଟୀରେ ଏମସ ନିର୍ମାଣ ହୋଇଛି। ତେଣୁ ସରକାର ବିକାଶ ଦିଗରେ ଆଗେଇ ଚାଲିଛନ୍ତି।”

ରାଷ୍ଟ୍ରପତି ମଧ୍ୟ ତିନ ତଲାକ ଉଚ୍ଛେଦକୁ ନିଜର ଉଦବୋଧନରେ ପ୍ରଶଂସା କରିବା ସହ ଇସ୍ରୋର କାର୍ଯ୍ୟ ଦକ୍ଷତାକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ଗଗନଯାନ, ଚନ୍ଦ୍ରଯାନ-୩ ଓ ଆଦିତ୍ୟ ମିଶନ ପାଇଁ ଇସ୍ରୋ ଉଦ୍ୟମ କରୁଥିବାରୁ ଏଥିପାଇଁ ରାଷ୍ଟ୍ରପତି କୋବିନ୍ଦ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

You might also like