ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୧୪ ମୃତ, ୪ ଗୁରୁତର

କୁର୍ନୁଲ: ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ମିଳିଛି।

ଆଜି ଭୋର ୪ଟା ସମୟରେ କୁର୍ନୁଲ ଜିଲ୍ଲା ମାଦରପୁର ଗାଁରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ସରକାରୀ ଜେନେରାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ବସ୍‌ରେ ୨୦ରୁ ଅଧିକ ଯାତ୍ରୀ ଚିତ୍ତୋରରୁ ରାଜସ୍ଥାନ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ୪ ଜଣ ଶିଶୁ ବର୍ତ୍ତି ଯାଇଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଧାର କାର୍ଡ ଓ ଫୋନ୍‌ ନମ୍ବରକୁ ଆଧାର କରି ପୋଲିସ୍‌ ମୃତାହତଙ୍କ ପରିଚୟ ଖୋଜୁଛି।

ସୂଚନାଥାଉ କି, ଦୁଇ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାରେ ଏକ ଟୁରିଷ୍ଟ ବସ୍‌ ଓଲଟି ପଡ଼ିଥିଲା। ଏକ ଘାଟିରେ ବସ୍‌ଟି ୨୦୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା।

You might also like