କେନାଲରେ ଖସି ପଡ଼ିଲା ବସ୍‌; ୩୨ ମୃତ

ଭୋପାଳ: ମଧ୍ୟ ପ୍ରଦେଶରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ସିଘିରୁ ସତନା ଯାଉଥିବା ଯାତ୍ରୀବାହୀ ବସ୍‌ଟି ବାଣସାଗର କେନାଲରେ ଖସି ପଡିଛି। ମିଳିଥିବା ସୂଚନା ଅନୁସାରେ ବସ୍‌ରେ ୬୦ ଜଣ ଲୋକ ଯାଉଥିଲେ। ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିଜନଙ୍କୁ ୫ ଳକ୍ଷ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘରର ଗୃହପ୍ରବେଶ କାର୍ଯ୍ୟକ୍ରମ ଥିଲା। ତେବେ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ଗୃହ ପ୍ରବେଶ କାର୍ଯ୍ୟକ୍ରମକୁ ସ୍ଥଗିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ବୟାନରେ କହିଛନ୍ତି, ଆଜି ଆମେ ବହୁତ ଉତ୍ସାହର ସହ ୧ ଲକ୍ଷ ୧୦ ହଜାର ଘରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ସମ୍ପନ୍ନ କରିବା କାର୍ଯ୍ୟକ୍ରମ ରଖିଥିଲୁ। ହେଲେ ସକାଳ ୮ଟାରେ ଏହି ଦୁର୍ଘଟଣା ଖବର ଜାଣିବା ପରେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛୁ।

ଏଠି କହିରଖିବୁ, ବାଣସାଗର କେନାଲ ଖୁବ୍‌ ଗଭୀର। ତୁରନ୍ତ ଏହାର ବନ୍ଧରେ ପାଣି ଛାଡ଼ିବା କାମକୁ ଅଟକାଇ ଦିଆଯାଇଛି। ଜିଲ୍ଲାପାଳ ଏବଂ ଏସ୍‌ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏପରିକି ଡାକ୍ତରୀ ଟିମ୍‌, ଆମ୍ବୁଲାନ୍ସ ସବୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ବସ୍‌ଟି ନିର୍ଦ୍ଧାରିତ ସମୟ ୫ଟାରେ ଯାତ୍ରା ଆରମ୍ଭ କରିବାର ଥିଲା। କିନ୍ତୁ ରାତି ୩ଟାରୁ ବାହାରି ପଡ଼ିଥିଲା। ଏପରିକି ଯେଉଁ ରାସ୍ତାରେ ଯାଉଥିଲା ଏହା ତା’ର ନିୟମିତ ରାସ୍ତା ନଥିଲା। ଟ୍ରାଫିକ୍‌ ଜାମକୁ ଦୃଷ୍ଟିରେ ରଖି ବସ୍‌ ଡ୍ରାଇଭର ରାସ୍ତା ବଦଳାଇ ୭ କିମି ନୂଆ ରାସ୍ତାରେ ଗାଡି ନେଉଥିଲେ। କ୍ରିକେଟ ମ୍ୟାଚ ଏବଂ ରେଲୱେ ପରୀକ୍ଷା ଥିବାରୁ ବସ୍‌ଟିରେ ଅଧିକାଂଶ ଛାତ୍ର ଥିଲେ।

କେନାଲରେ ବସ୍‌ଟି ପଡ଼ିବା ପରେ ଡ୍ରାଇଭର ପହଁରି ପହଁରି ନିଜ ଜୀବନ ବଞ୍ଚାଇ ଦେଇଛନ୍ତି।

You might also like