‘ଯେତେ ପରୀକ୍ଷା ଆସୁ, ଆମେ କେବେ ଅଟକିବୁ ନା ଭାରତ ଅଟକିବ’
ନୂଆଦିଲ୍ଲୀ: ‘ଯେତେ ପରୀକ୍ଷା ଆସୁ, ଆମେ କେବେ ଅଟକିବୁ ନା ଭାରତ ଅଟକିବ। ଯେବେ ଏମିତି ପରୀକ୍ଷା ସମୟ ଆସିଛି, ଭାରତ ଆଗକୁ ଉଠିଛି। ଯେବେ ବି କିଛି ବିପଦ ଆସିଛି, ଦେଶବାସୀ ଏକାଠି ହୋଇ ଲଢ଼ିଛନ୍ତି’ -ବଜେଟ ଅଧିବେଶନ ଆରମ୍ଭ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମିତି ସାରଗର୍ଭକ ଅଭିଭାଷଣ ଦେଇ ସଂସଦକୁ ସମ୍ବୋଧନ କରିଛନ୍ତି।
କରୋନା କାଳରେ ଏ ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷକଙ୍କ ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସ୍ୱାମୀନାଥନ ସୁପାରିସ ଲାଗୁ କରି MSP ଦେଢ଼ଗୁଣା କରାଯାଇଛି। ଜଳ ସେଚନ ସୁବିଧା ବଢ଼ିଛି, ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଛି। ଏବେ ଦେଶର ଖାଦ୍ୟ ଉତ୍ପାଦନ ପରିମାଣ ୨୯୬ ମିଲିୟନ ଟନ୍ ରହିଛି ବୋଲି ରାଷ୍ଟ୍ରପତି କହିଥିଲେ।
ରାଷ୍ଟ୍ରପତି ଆହୁରି କହିଛନ୍ତି, କରୋନା କାଳରେ କେହି ଯେମିତି ଭୋକରେ ନରହିବେ ବ୍ୟବସ୍ଥା ହୋଇଛି ।ଲୋକଙ୍କୁ ମାଗଣା ରାସନ, ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଥିଲା। ଶ୍ରମିକଙ୍କୁ କାମ ଦେବାକୁ ଅଧିକ ୫୦ କୋଟି ଶ୍ରମ ଦିବସ ହୋଇଥିଲା ଉଜ୍ଜ୍ୱଳା ଯୋଜନାରେ ମହିଳାଙ୍କୁ ୧୪ କୋଟି ସିଲିଣ୍ଡର ମାଗଣା ମିଳିଥିଲା।
କରୋନା ଜଣାଇଦେଲା କାହିଁକି ଆତ୍ମନିର୍ଭର ଭାରତ ଜରୁରୀ। ଭାରତ ଏବେ ଦୁନିଆର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଚଳାଇଛି। ଅନ୍ୟ ଦେଶକୁ ଟିକା ପଠାଇ ଭାରତ ସାରା ବିଶ୍ୱରେ ପ୍ରଶଂସା ପାଉଛି। ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ମାଗଣା ଚିକିତ୍ସା ମିଳୁଛି।
ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ମେଡିକାଲ କଲେଜ ବଢ଼ିବା ଜରୁରୀ। ୨୦୧୪ରେ ଦେଶରେ ୩୮୭ ମେଡିକାଲ କଲେଜ ଥିଲା, ଏବେ ୫୬୨ କଲେଜ ରହିଛି। ଦେଶରେ ଆଉ ୨୨ ଏମ୍ସ ସ୍ଥାପନ କରାଯାଇଛି।
ରାଷ୍ଟ୍ରପତି କହିଥିଲେ, ଅନେକ ବିଚାରବିମର୍ଷ ପରେ ସଂସଦରେ ୩ଟି କୃଷି ବିଲ୍ ପାସ୍ ହୋଇଛି। ନୂଆ କୃଷି ବିଲ୍ ଯୋଗୁଁ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ। କୃଷି ଆଇନକୁ ନେଇ ସୃଷ୍ଟ ଭ୍ରମକୁ ସରକାର ଦୂର କରିବାକୁ ପ୍ରୟାସ କରିଛନ୍ତି। ନୂଆ କୃଷି ଆଇନରେ ଚାଷୀଙ୍କୁ ବହୁ ଅଧିକାର ଦିଆଯାଇଛି । ତେବେ ଗଣତନ୍ତ୍ର ଦିବସରେ ହୋଇଥିବା ହିଂସା ଘଟଣାକୁ ନିନ୍ଦା କରିଛନ୍ତି ରାଷ୍ଟ୍ରପତି। ସଂସଦ ଭବନରେ ସେ କହିଛନ୍ତି, ଗଣତନ୍ତ୍ର ଦିବସରେ ଯାହା ଘଟିଲା, ତାହା ଅତ୍ୟନ୍ତ ନିନ୍ଦନୀୟ।