ଆଗ ଟଙ୍କା ଦେବ, ପରେ ବିଜୁଳି ଜାଳିବ-ବଜେଟ୍‌ରେ ନୂଆ ନିୟମ

ନୂଆଦିଲ୍ଲୀ:ଆସନ୍ତା ୩ ବର୍ଷ ମଧ୍ୟରେ ସବୁ ବିଦ୍ୟୁତ୍‌ ଗ୍ରାହକଙ୍କ ପାଇଁ ଆସିବ ପ୍ରିପେଡ ସ୍ମାର୍ଟ ମିଟର। ଏଥିସହ ଗ୍ରାହକମାନେ ବିଦ୍ୟୁତ୍‌ ଯୋଗାଣ କମ୍ପାନୀ ନିଜ ପସନ୍ଦ ଅନୁସାରେ ଚୟନ କରିବେ ଏବଂ ନିଜର ଆବଶ୍ୟକ ଅନୁଯାୟୀ ଦର ସ୍ଥିର କରିପାରିବେ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟରେ ପ୍ରସ୍ତାବ ରଖିଛନ୍ତି ।

ପ୍ରଚଳିତ ବ୍ୟବସ୍ଥା ଅନୁସାରେ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଆସନ୍ତା ତିନି ବର୍ଷ ମଧ୍ୟରେ ପାରମ୍ପରିକ ମିଟରକୁ ପରିବର୍ତ୍ତନ କରି ସ୍ମାର୍ଟ ମିଟର ଲଗାଇବା ପାଇଁ ପଦକ୍ଷେପ ନେବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବଜେଟରେ ଶକ୍ତି ଓ ଅକ୍ଷୟ ଉର୍ଜା ପାଇଁ ୨୨ ହଜାର କୋଟି ବ୍ୟୟବରାଦ କରାଯାଇଛି ।

ଏହି ନିୟମ ଅନୁସାରେ ପୁରୁଣା ମିଟର ହଟିଯିବ। ଉପଭୋକ୍ତା ପ୍ରୀ-ପେଡ୍‌ ମିଟର୍‌ ଜରିଆରେ ବିଦ୍ୟୁତ୍‌ କମ୍ପାନୀ ବାଛିବ। ଏହି ଯୋଜନା ବିଷୟରେ ଘୋଷଣା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଆସନ୍ତା ୩ ବର୍ଷ ମଧ୍ୟରେ ଏହାର କାର୍ଯ୍ୟକାରୀ ହେବ। ସମସ୍ତଙ୍କୁ ବିଜୁଳି ଯୋଗାଇବା ଲକ୍ଷ୍ୟ ରଖି ସରକାର ଏପରି ପଦକ୍ଷେପ ନେଇଛନ୍ତି।

ଯେମିତି ପ୍ରି-ପେଡ୍‌ ନମ୍ବର, ଡିସ୍‌ ଟିଭି ପୂର୍ବରୁ ରିଚାର୍ଜ କରୁଛନ୍ତି ଠିକ୍ ସେହିପରି ପ୍ରି-ପେଡ୍‌ ମିଟର ଅନୁସାରେ ଉପଭୋକ୍ତାଙ୍କୁ ମାସ ଆରମ୍ଭରୁ ପେମେଣ୍ଟ କରିବାକୁ ପଡ଼ିବ। ବର୍ତ୍ତମାନ ଆମ ମିଟର ଅନୁସାରେ ଆମେ ବିଦ୍ୟୁତ୍‌ ଖର୍ଚ୍ଚ କରୁଛୁ। ମାସ ଶେଷରେ ବିଲ୍‌ ଆସୁଛି। ହେଲେ ପ୍ରି-ପେଡ୍‌ ମିଟର ଏହାର ଠିକ୍ ଓଲଟା। ଉତ୍ତରପ୍ରଦେଶ, ଦିଲ୍ଲୀ(ଭଡ଼ାରେ ରହୁଥିବେ ବ୍ୟକ୍ତିଙ୍କ ପାଇଁ)ରେ ପ୍ରିପେଡ ମିଟର ବ୍ୟବସ୍ଥା ରହିଛି ।

You might also like