କାଲିଠୁ ନଜରବନ୍ଦୀରେ ରହିବେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ କର୍ମଚାରୀ

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖ ସାଧାରଣ ବଜେଟ ସଂସଦରେ ଆଗତ କରିବେ। ଏଥି ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୨୦ ତାରିଖ ହେବ ହାଲୱା ଉତ୍ସବ (Halwa Ceremony)। ଏହି ଉତ୍ସବ ସହିତ ବଜେଟ ଦସ୍ତାବିଜ୍‌ର ଛାପା କାମ ଆରମ୍ଭ ହେବ। ହାଲ୍‌ୱା ଶେରେମନି ପରେ ପ୍ରିଣ୍ଟିଂ ପ୍ରେସ୍‌ର ସମସ୍ତ କର୍ମଚାରୀଙ୍କ ସମେତ ଅର୍ଥ ମନ୍ତ୍ରାଳୟର ୧୦୦ ଅଧିକାରୀ ନଜରବନ୍ଦୀରେ ରହିବେ। ବଜେଟ ପାସ୍‌ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଏପରି ନଜରବନ୍ଦୀ ଅବସ୍ଥାରେ ରହିବାକୁ ପଡ଼ିବ। ଆସନ୍ତାକାଲି ହେବାକୁ ଥିବା ଏହି ହାଲ୍‌ୱା ଉତ୍ସବରେ ଅର୍ଥମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ଯୋଗ ଦେବେ।

କ’ଣ ଏହି ହାଲ୍‌ୱା ସେରେମନି ?

ହାଲ୍‌ୱା ସେରେମନି ଆମ ବଜେଟ୍‌ର ଏକ ପରମ୍ପରା। ଏହି ପରମ୍ପରା ଅନେକ ଦିନରୁ ଚଳି ଆସୁଛି। ଏହି ଉତ୍ସବ ପରେ ଅଧିକାରୀମାନେ ବଜେଟ ଛପାଇବାକୁ ପଠାଇଥାନ୍ତି। ତେବେ ଏହା ପଛରେ ଆଉ ଏକ ବିଶ୍ୱାସ ମଧ୍ୟ ରହିଛି। କୁହାଯାଏ, ଯେ କୌଣସି ଏକ ଶୁଭ କାମ ଆରମ୍ଭ କରିବା ପୂର୍ବରୁ ମୁହଁ ମିଠା କରିବା ଉଚିତ୍‌। ତେଣୁ ବଜେଟ ଛପା ଯିବା ପୂର୍ବରୁ ଏହି ମିଠା ଖିଆ ପରମ୍ପରା ରହିଛି। ତେବେ ହାଲ୍‌ୱା କରିବାର କାରଣ ହେଲା, ଭାରତୀୟ ପରମ୍ପରାରେ ହାଲ୍‌ୱାକୁ ଶୁଭ ବିଶ୍ୱାସ ରହିଛି।

ପରମ୍ପରା ଅନୁଯାୟୀ, ହାଲ୍‌ୱା ତିଆରି ହେବା ପରେ ସେ ସମୟର ଅର୍ଥମନ୍ତ୍ରୀ ନିଜ ହାତରେ ବଜେଟ୍‌ ସହ ଜଡ଼ିତ କର୍ମଚାରୀ, ଛାପା କାମରେ ଜଡିତ କର୍ମଚାରୀ ଏବଂ ଅର୍ଥ ବିଭାଗର ଅଧିକାରୀଙ୍କୁ ହାଲ୍‌ୱା ବାଣ୍ଟିବେ।

ବଜେଟର ପ୍ରିଣ୍ଟିଂ କାମ କୌଣସି ଗୁପ୍ତ ଅପରେଶନଠାରୁ କମ୍‌ ନୁହେଁ। ଦେଶରେ ଏହି ବଜେଟ ପ୍ରସ୍ତୁତି ସବୁଠାରୁ ଗୁପ୍ତ ଅପରେଶନ। ବଜେଟ୍‌ର ତଥ୍ୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଲିକ୍‌ ହେଲେ ସରକାରଙ୍କ ପ୍ରତି ଅଙ୍ଗୁଳି ଉଠିବାର ଆଶଙ୍କା ଥାଏ। ଏହି ସମୟ ମଧ୍ୟରେ କର୍ମଚାରୀମାନେ ନା ନିଜ ପରିବାର ନା ସାଙ୍ଗ, ନା ବନ୍ଧୁବାନ୍ଧବ କାହା ସହ ସାକ୍ଷାତ କରିପାରିବେ ନାହିଁ କିମ୍ବା କଥା ମଧ୍ୟ ହୋଇ ପାରବେ ନାହିଁ। ପ୍ରିଣ୍ଟିଂ ପ୍ରେସ୍‌ରେ ଏକ ଲ୍ୟାଣ୍ଡଲାଇନ ଫୋନ ଥାଏ, ଯେଉଁଥିରେ କେବଳ ଇନ୍‌କମିଂର ସୁବିଧା ଥାଏ। ଏହାବ୍ୟତୀତ କେତେକ ହାତଗଣତି ଅଧିକାରୀଙ୍କୁ ଛାଡ଼ିଦେଲେ ଆଉ କାହାରିକୁ ଏହା ଭିତରକୁ ଆସିବା ପାଇଁ ଅନୁମତି ମିଳି ନ ଥାଏ।

You might also like