କର୍‌ୱାଚୌଥ୍‌ରେ ପତ୍ନୀ ରଖିଥିଲେ ବ୍ରତ, ପୁଅକୁ ଆସିଲା ଫୋନ୍‌…. ତୁମ ବାପା ସହିଦ ହୋଇଯାଇଛନ୍ତି

ନୂଆଦିଲ୍ଲୀ: ଯବାନ ପତିଙ୍କ ଦୀର୍ଘାୟୁ କାମନା କରି କର୍‌ୱାଚୌଥ ବ୍ରତ ରଖିଥିଲେ ପତ୍ନୀ। ଆଉ କିଛି ଘଣ୍ଟା ପରେ ବ୍ରତ ଭାଙ୍ଗି ଥାନ୍ତେ।   ହେଲେ ବିଧାତାର ଖେଳ କିଛି ଅଲଗା ଥିଲା। ବ୍ରତ ଭାଙ୍ଗିବା ପୂର୍ବରୁ ପତ୍ନୀଙ୍କ ପାଖକୁ ଏମିତି ଏକ ଖବର ଆସିଲା ଯେଉଁଥିରେ ସେ ନିଜେ ଭାଙ୍ଗି ଯାଇଥିଲେ। ଦେଶକୁ ସୁରକ୍ଷା ଦେଉଥିବା ଜଣେ ସହିଦ ଯବାନଙ୍କ ପତ୍ନୀଙ୍କ ସହ ଏଭଳି ଏକ ଦୁଃଖଦ ଘଟଣା ଘଟିଛି।

ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଭାରତ଼-ବାଂଲାଦେଶ ସୀମାରେ ବର୍ଡର ଗାର୍ଡସ୍‌ ବାଂଲାଦେଶ(ବିଜିବି) ସେନା ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ବିଏସ୍‌ଏଫ୍‌ର ହେଡ୍‌ କନ୍‌ଷ୍ଟେବଲ୍‌ ବିଜୟ ଭାନ୍‌ ସିଂ ସହିଦ ହୋଇଛନ୍ତି। ଗୁରୁବାର ଦିନ ଭାରତ଼-ବାଂଲାଦେଶ ସୀମାରେ ବର୍ଡର ମିଟିଙ୍ଗ୍‌ ଚାଲିଥିବା ସମୟରେ ଏହି ଗୁଳି ବିନିମୟ ହୋଇଥିଲା।

Image Credit: ANI

ଗୁଳିମାଡ଼ରେ ବିଜୟ ସହିଦ ହୋଇଥିବା ଖବର ତାଙ୍କ ପୁଅକୁ ଜଣାଇବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଅଧିକ ଦୁଃଖ ବିଜୟଙ୍କ ପତ୍ନୀଙ୍କୁ ହୋଇଥିଲା। କାରଣ ପତିଙ୍କ ଦୀର୍ଘାୟୁ କାମନା କରି ସେ ପୂଜାବ୍ରତ କରୁଥିଲେ, ହେଲେ ଭଗବାନ ତାଙ୍କୁ ଦେଲେ କ’ଣ ? ଯାହାଙ୍କ ହାତ ଧରି ସାରା ଜୀବନ ବାଟ ଚାଲିବାର ପାଇଁ ମାନସିକ  ରଖିଥିଲେ, ଭଗବାନ ସେଇ ହାତଟିକୁ ଛଡାଇ ନେଲେ !

ସୂଚନାଥାଉ କି, ବାଂଲାଦେଶୀ ସେନା ଜଣେ ଭାରତୀୟ ମତ୍ସଜୀବୀଙ୍କୁ ଧରିବା ନେଇ ବର୍ଡର ଗାର୍ଡସ୍‌ ବାଂଲାଦେଶ ଓ ବିଏସ୍‌ଏଫ୍‌ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ଯେଉଁଥିରେ ବିଜୟ ସହିଦ ହୋଇଥିଲେ। ଗୁଳିବିନିମୟରେ ଅନ୍ୟ ଜଣେ କନଷ୍ଟେବଲ୍‌ ଓ ଡଙ୍ଗା ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ଭାରତ-ବାଂଲାଦେଶ ମଧ୍ୟରେ ଥିବା ବନ୍ଧୁତ୍ୱ ବା ମିତ୍ରତା ସମ୍ପର୍କରେ ସମସ୍ତେ ଜାଣନ୍ତି। ହେଲେ କାଲିର ଏହି ଘଟଣା ପରେ ହଠାତ୍‌ ସୀମାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

You might also like