ଜମ୍ମୁରେ ପୁଣି ଆତଙ୍କର ସୁଡ଼ଙ୍ଗ ଠାବ, ୧୫୦ ମିଟର ଲମ୍ବ ଏବଂ ୩୦ ଫୁଟ ଗଭୀର

ଗୋଟିଏ ମୁହଁ ପାକିସ୍ତାନରେ ଥିବାବେଳେ ଆଉ ଗୋଟିଏ ଭାରତରେ

ନୂଆଦିଲ୍ଲୀ: ପାକିସ୍ତାନ ରଚୁଛି ସାଙ୍ଘାତିକ ଷଡ଼ଯନ୍ତ୍ର । ସୀମାରେ ପୁଣି ଆତଙ୍କର ସୁଡ଼ଙ୍ଗ ଠାବ ।  ମାଟି ଉପରେ ଆତଙ୍କୀ ଷଡ଼ଯନ୍ତ୍ର ଫେଲ ମାରିଥିବା ବେଳେ ମାଟି ତଳେ ନୂଆ ଚକ୍ରବ୍ୟୁହ ରଚୁଛି ଶତ୍ରୁ ଦେଶ । ୧୦ ଦିନର ବ୍ୟବଧାନ ପରେ ସୀମାରୁ ପୁଣି ଏକ ବିରାଟ ଭୂତଳ ସୁଡ଼ଙ୍ଗ ଠାବ ହୋଇଛି । ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତଭାରତ-ପାକ୍‌ ସୀମାରୁ  ପ୍ରାୟ ୧୫୦ ମିଟର ଲମ୍ବ ଏବଂ ୩୦ ଫୁଟ ଗଭୀର ଏହି ସୁଡଙ୍ଗକୁ ଠାବ କରିଛନ୍ତି ବିଏସଏଫ୍ ଯବାନ୍ । ତେବେ ସୁଡ଼ଙ୍ଗ ଠାବ ହେବା ପରେ ପାଟ୍ରୋଲିଂ ବଢ଼ାଇ‍ବା ସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି ।

ସୁଡ଼ଙ୍ଗର ଗୋଟିଏ ମୁହଁ ପାକିସ୍ତାନରେ ଥିବା ବେଳେ ଆଉ ଗୋଟିଏ ଭାରତରେ ରହିଛି । ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଲଗାତାର ପ୍ରୟାସ ଚଳାଇଛି ଶତ୍ରୁଦେଶ ।  ଜମ୍ମୁ-କଶ୍ମୀର ଅଞ୍ଚଳରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ  ଅନ୍ତର୍ଜାତୀୟ ସୀମାରେ ଏହି ଭୂତଳ ସୁଡଙ୍ଗ ନିର୍ମାଣ କରିଛି ପାକିସ୍ତାନ । ହୀରାନଗର ସେକ୍ଟରର ପାନସର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯାଞ୍ଚ କରାଯାଉଥିବା ବେଳେ ଏହି ସୁଡ଼ଙ୍ଗଟି ଠାବ ହୋଇଛି। ଖବର ମିଳିବା ପରେ ବିଏସଏଫର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୁଡ଼ଙ୍ଗକୁ ଠାବ କରିବା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ଅଞ୍ଚଳରେ ଆଉ ସୁଡ଼ଙ୍ଗ ଥିବା ସନ୍ଧେହରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଅସ୍ତ୍ରଶସ୍ତ୍ର , ଗୁଳିଗୋଳା ପଠାଇ‍ବା ପାଇଁ ସୁରଙ୍ଗକୁ ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଉଛି । ଗତ ୬ ମାସ ମଧ୍ୟରେ ସାମ୍ବା, ହୀରାଗନର ଓ କଠୁଆରେ ୪ଟି ଗୁପ୍ତ ସୁଡ଼ଙ୍ଗ ଠାବ ହେଲାଣି । ସେହିପରି ଜମ୍ମୁ ରିଜନରେ ମୋଟ ୧୦ଟି ସୁଡ଼ଙ୍ଗ ଠାବ ହୋଇଛି । ଭାରତୀୟ ଯବାନମାନେ  ବାରମ୍ବାର ଆତଙ୍କବଦୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରୁଥିବା ବେଳେ ବର୍ତ୍ତମାନ ସୁଡଙ୍ଗ ତିଆରି କରି ଅନୁପ୍ରବେଶ ପାଇଁ ଯୋଜନା ଚଳାଇଛନ୍ତି ଆତଙ୍କୀ ।  କିନ୍ତୁ ସବୁଥର ପରି ଏଥର ମଧ୍ୟ ଭାରତୀୟ ସେନା  ସୁଡ଼ଙ୍ଗ ଠାବ କରି ଆତଙ୍କବାଦୀ ଯୋଜନାକୁ ପଣ୍ଡ କରିଛନ୍ତି।

You might also like