ଏଇ ବ୍ରିଟିଶ୍‌ ସାଂସଦଙ୍କୁ କାଶ୍ମୀର ଭ୍ରମଣରୁ କାହିଁକି ବାଦ୍‌ ଦିଆଗଲା ?

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ୨୭ ଜଣିଆ ୟୁରୋପୀୟ ସାଂସଦ ମଣ୍ଡଳୀ ଉପତ୍ୟକା ଗସ୍ତରେ ଯାଇଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀର ସ୍ଥିତି ସ୍ୱାଭାବିକ ଥିବା ଭାରତ ସରକାର ସମଗ୍ର ବିଶ୍ୱକୁ ଜଣାଇବା ପାଇଁ ଏଭଳି ବ୍ୟବସ୍ଥା କରିଥିବା କୁହାଯାଉଛି। ହେଲେ ପ୍ରଥମେ କଶ୍ମୀର ଗସ୍ତରେ ଯିବାକୁ ନିମନ୍ତ୍ରଣ ପାଇଥିବା ଜଣେ ୟୁରୋପୀୟ ସାଂସଦ ସାଂଘାତିକ ବୟାନ ଦେଇଛନ୍ତି।

ୟୁରୋପିଆନ ସଂସଦରେ ନର୍ଥ ୱେଷ୍ଟ ଇଂଲଣ୍ଡକୁ ପ୍ରତିନିଧିତ୍ୱ କରୁଥିବା କ୍ରିସ୍‌ ଡାଭିସ୍‌ କହିଛନ୍ତି, “ମୋତେ ଅନ୍ୟ ୟୁରୋପୀୟ ସାଂସଦଙ୍କ ଭଳି ନିମନ୍ତ୍ରଣ କରାଯାଇଥିଲା। ହେଲେ ମୁଁ ମୁକ୍ତ ଭାବେ କାଶ୍ମୀରରେ ସବୁ ସ୍ଥାନ ବୁଲିବି ଏବଂ ସେଠାରେ ଲୋକଙ୍କ ସହ ଆଲୋଚନା କରି ସ୍ଥିତି ସମ୍ପର୍କରେ ଅବଗତ ହେବାକୁ କହିବାରୁ ମୋ ନିମନ୍ତ୍ରଣ ପତ୍ରକୁ ରଦ୍ଦ କରି ଦିଆଯାଇଛି।”

କ୍ରିସ୍‌ଙ୍କୁ ୱେମେନ୍ସ ଇକୋନୋମିକ ଆଣ୍ଡ ସୋସିଆଲ ଥିଙ୍କ ଟ୍ୟାଙ୍କ(ଡବ୍ଲ୍ୟୁଇଏସଟିଟି) ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତାଙ୍କୁ ଡବ୍ଲ୍ୟୁଇଏସଟିଟି ଅକ୍ଟୋବର ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ପଡ଼ିବ ଏବଂ ୨୯ ଓ ୩୦ ଦୁଇ ଦିନ ଧରି କାଶ୍ମୀର ଗସ୍ତରେ ଯିବାକୁ ପଡ଼ିବ ବୋଲି ନିମନ୍ତ୍ରଣରେ କହିଥିଲା।

ସେ କହିଛନ୍ତି, “ଅକ୍ଟୋବର ୮ରେ ମୁଁ ଡବ୍ଲ୍ୟୁଇଏସଟିଟିକୁ କହିଥିଲି ଯେ ନିମନ୍ତ୍ରଣ ପାଇଁ ଧନ୍ୟବାଦ। ମୁଁ କାଶ୍ମୀର ଗସ୍ତରେ ଯିବାକୁ ରାଜି। ସେଠାକୁ ଗଲେ ମୋ ସହ ସାମ୍ବାଦିକମାନେ ଯିବେ। ମୁଁ ମୁକ୍ତ ଭାବରେ ସେଠାରେ ଯେମିତି ବୁଲି ପାରିବି, ସେ ବ୍ୟବସ୍ଥା ହେବା ଦରକାର। ମୋ ଇଚ୍ଛା ଅନୁସାରେ ସେଠାକାର ଲୋକଙ୍କ ସହ କଥା ହେବି। ତେବେ ମୋ ନିମନ୍ତ୍ରଣକୁ ୧୦ ତାରିଖରେ ରଦ୍ଦ କରି ଦିଆଯାଇଥିଲା। ସେବେଠାରୁ ମୋ ସହ ଆଉ କେହି ବି ଯୋଗାଯୋଗ କରିନାହାନ୍ତି।”

ଏ ସମ୍ପର୍କରେ ଡବ୍ଲ୍ୟୁଇଏସଟିଟିର ପ୍ରତିକ୍ରିୟା ମିଳିପାରି ନାହିଁ।

You might also like