ବ୍ରିଟେନରୁ ଆସି ଭାରତରେ ପହଞ୍ଚିଲା କରୋନାର ନୂଆ ଷ୍ଟ୍ରେନ୍
ନୂଆଦିଲ୍ଲୀ: ଭାରତରେ ମିଳିଲା ବ୍ରିଟେନ୍ ଷ୍ଟ୍ରେନ୍। ବ୍ରିଟେନରୁ ଫେରିଥିବା ୬ ଜଣ ବ୍ୟକ୍ତିଙ୍କ ପାଖରେ ନୂଆ କରୋନା ଷ୍ଟ୍ରେନ୍ ମିଳିଥିବା ଖବର ମିଳିଛି। ୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି।
ନୂଆ ଷ୍ଟ୍ରେନ୍ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ପାଖରେ କରୋନାର ସମସ୍ତ ଲକ୍ଷ୍ୟଣ ରହିଛି। ତେଣୁ ଏଦିଗ ଉପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛି। ନୂଆ ଆକ୍ରାନ୍ତଙ୍କ ପରିବାରଲୋକଙ୍କ ବି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେବା ସହ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ନମୁନା ବେଙ୍ଗଲୁରୁର NIMHANS ଲ୍ୟାବ୍, ଦୁଇ ଜଣଙ୍କ ହାଇଦ୍ରାବାଦ୍ର CCMB ଏବଂ ଜଣଙ୍କ ନମୁନା ପୁଣେ NIV ଲ୍ୟାବ୍ରେ ପରୀକ୍ଷା କରାଯାଇଥିଲା । ଗତ ମାସକ ମଧ୍ୟରେ ୩୩ ହଜାର ଲୋକ ବ୍ରିଟେନରୁ ଫେରିଥିଲେ। ବ୍ରିଟେନର ଏହି ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ପ୍ରଭାବଶାଳୀ।
ସୂଚନାଥାଉ କି, ବ୍ରିଟେନ୍ରେ କରୋନା ଭାଇରସର ନୂଆ ରୂପ ମିଳିବା ପରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଡିସେମ୍ବର ୨୨ ରାତିରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସବୁ ଫ୍ଲାଇଟ ଉପରେ ଭାରତ ପ୍ରତିବନ୍ଧକ ଲଗାଇଛି। ତଥାପି ଲଣ୍ଡନରୁ ଆସିଥିବା ଫ୍ଲାଇଟ୍ରେ ୬ ଜଣ ଯାତ୍ରା କୋଭିଡ ସଂକ୍ରମିତ ଥିବା ଜଣାପଡ଼ିବା ପରେ ସମସ୍ତଙ୍କର ଚିନ୍ତା ବଢି ଯାଇଥିଲା।
ସମସ୍ତ ଯାତ୍ରୀଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠାଇ ଦିଆଯାଇଥିଲା ଓ ସମସ୍ତ ପଜିଟିଭ ଯାତ୍ରୀଙ୍କ ନମୂନା ପରୀକ୍ଷଣ କରାଯାଇଥିଲା। ଏହି ନମୁନାକୁ NCDCକୁ ଅଧିକ ଗବେଷଣା ପାଇଁ ପଠାଯାଇଥିଲା।
ଏଠି କହିରଖିବୁ, ବର୍ଷକ ଭିତରେ ପ୍ରାୟ ୨୩ ଥର ନିଜର ରୂପ ବଦଳାଇଥିଲା କରୋନା ଭାଇରସ। ହେଲେ ଏଥର କରୋନାର ରୂପ ବୈଜ୍ଞାନିକଙ୍କୁ ଭୟଭୀତ କରାଇଛି। ବ୍ରିଟେନରୁ ଆସି ଏହି ନୂଆ ରୂପ ଏବେ ଭାରତରେ ପହଞ୍ଚି ଗଲାଣି। ତେଣୁ ଏହାକୁ ନେଇ ସତର୍କତା ଜରୁରୀ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।
ୱାଲଆଡ ଟ୍ରେଡ ଅର୍ଗାନାଇଜେସନ୍ ଅନୁସାରେ ନୂଆ ପ୍ରକାର ଭାଇରସ ଦକ୍ଷିଣପୂର୍ବ ବ୍ରିଟେନ୍ରେ ଦେଖା ଯାଇଥିଲା। ଡିସେମ୍ବରରେ ବ୍ରିଟେନର ଏହି ଭାଗରେ କରୋନା ମାମଲା ବୃଦ୍ଧି ପାଇବା ପରେ ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରିଥିଲେ। ତେବେ ଏହି ନୂଆ ଭାଇରସ ରୋଗୀଙ୍କ ଶରୀରରେ ସେପ୍ଟେମ୍ବରରୁ ସକ୍ରିୟ ଥିବା ଜଣାଯାଇଛି।