ଏମିତି ବିବାହ ସାରାଜୀବନ ମନେ ରହିବ

ପାଟନା: ଜଳଯାତ୍ରାରେ ବାହାରିଛନ୍ତି ନବ ବିବାହିତ ବର-କନ୍ୟା। ବିବାହ ପରେ ବର ତାର ନବବଧୁକୁ ପାଲିଙ୍କିରେ କିମ୍ବା ଗାଡ଼ିରେ ବସାଇ ନେବା କଥା, ହେଲେ ଏଠି ଟିଣ ଡ୍ରମ୍‌ ଭେଳା ବାନ୍ଧି କନିଆକୁ ଘରକୁ ନେଉଛି ବର। ଆପଣ ଭାବୁଥିବେ କେହି ଜଣେ ନିଆରା ଢଙ୍ଗରେ ବାହାଘର କରି ସ୍ୱତନ୍ତ୍ରତା ସୃଷ୍ଟି କରିବା ପାଇଁ ଏପରି କରିଥିବ ବୋଧେ। ନା ପାଠକେ ଏଠି କିନ୍ତୁ ଘଟଣା କିଛି ଅଲଗା। ଏଠି ବାଧ୍ୟ ହୋଇ ଟିଣ ଭେଳାରେ କନ୍ୟାକୁ ଘରକୁ ନେଉଛି ବର।

୩-୪ଟି ବଡ଼ ବଡ଼ ଟିଣ ଡ୍ରମ୍‌କୁ ଭେଳା କରି, ତା ଉପରେ ପଟା ରଖି ସେଥିରେ ବସିଛନ୍ତି ନବ ବିବାହିତ ଯୋଡ଼ି। ସାଙ୍ଗରେ ଏକ ଛୋଟ ଝିଅ ବି ଅଛି। ତା ପରେ ଗାଁ ଲୋକେ ସେହି ଟିଣ ଡ୍ରମ୍‌ ଭେଳାକୁ ଟାଣି ଟାଣି ନବ ଦମ୍ପତିଙ୍କୁ ନଈ ପାର୍ କରାଇଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିହାର ଆରାରିଆରରେ।

ଲଗାଣ ବର୍ଷାରେ ଏହି ଅଞ୍ଚଳର ଅବସ୍ଥା ବେହାଲ୍ ହୋଇଯାଇଛି। ବରର ଗାଁକୁ ଯିବାକୁ ଅନ୍ୟ ରାସ୍ତା ନ ଥିବାରୁ ଶେଷରେ ବିପଦପୂର୍ଣ୍ଣ ଜଳଯାତ୍ରା କରିବାକୁ ବାଧ୍ୟ ହୋଇଛନ୍ତି ନବ ଦମ୍ପତ୍ତି।

ସେପଟେ ବ୍ରହ୍ମପୁତ୍ରର ଭୟଙ୍କର ବନ୍ୟାରେ ଭାସୁଛି। ଆସାମ ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି। ଗାଁ ଦାଣ୍ଡରେ ଜଙ୍ଘ ପର୍ଯ୍ୟନ୍ତ ପାଣି, ତ କେଉଁଠି ଘରର ଛାତ ପାଖାପାଖି ପହଞ୍ଚିଛି ବନ୍ୟା ଜଳ। ଅନ୍ୟ କେଉଁଠଇ ବର୍ଷାର ପୁରା ସ୍କୁଲ୍ ବିଲ୍‌ଡିଂ ଭୁଶୁଡ଼ି ଯାଇ ମାଟିରେ ମିଶି ଯାଉଛି। ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀର ବନ୍ୟାଜଳ ଘେରାବନ୍ଦି ହୋଇ ରହିଛନ୍ତି ୧୫ ଲକ୍ଷରୁ ଅଧିକ ଲୋକ। ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ସେହିପରି ୨ ହଜାରରୁ ଅଧିକ ଗାଁପ୍ରଭାବିତ ହୋଇଛି।

ବାର୍ପେଟା ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୨୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ୍ କ୍ୟାମ୍ପରେ ରଖାଯାଇଛି। କାଜିରଙ୍ଗା ନ୍ୟାସନାଲ ପାର୍କର ଅଧିକାଂଶ ଅଞ୍ଚଳ ବନ୍ୟା ଜଳରେ ବୁଡ଼ି ରହିଥିବାରୁ ପ୍ରଭାବିତ ହୋଇଛନ୍ତି ଜୀବଜନ୍ତୁ। ଆହୁରି ୨-୩ ଦିନ ବର୍ଷା ଲାଗି ରହିବାର ସମ୍ଭାବନା ଥିବାରୁ ପରିସ୍ଥିତି ଅଧିକ ଗୁରୁତର ହୋଇପାରେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବନ୍ୟା ପରିସ୍ଥିତିର ସମୀକ୍ଷା କରି ସବୁ ପ୍ରକାର ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ବିହାରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କୋଶୀ ନଦୀର ପ୍ରକୋପ ଦେଖିବାକୁ ମିଳିଛି। ବିଶେଷ କରି ନେପାଳରେ ପ୍ରବଳ ବର୍ଷା ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି।

 

You might also like