ସ୍ତନ୍ୟପାନ କରାଉଥିବା ମହିଳା ଓ କରୋନା ଆକ୍ରାନ୍ତ, କେତେବେଳେ ନେଇପାରିବେ ଟିକା ? ଜାଣନ୍ତୁ…

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ପାଇଁ ବଡ଼ ସୂଚନା । ସୁସ୍ଥ ହେବାର ୩ ମାସ ପରେ ନେଇ ପାରିବେ ଟିକା । ଯଦି ଜଣେ ପ୍ରଥମ ଡୋଜ୍ ଟିକା ନେବା ପରେ ପଜିଟିଭ୍ ହୋଇଛନ୍ତି, ତେବେ ସେ ସୁସ୍ଥ ହେବାର ୩ ମାସ ପରେ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ । ଟିକାକରଣକୁ ନେଇ ଜାତୀୟ ଟିକା ପରିଚାଳନା ବିଶେଷଜ୍ଞ ଟିମ୍ ବା NEGVAC ଦ୍ୱାରା ପ୍ରସ୍ତାବିତ ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କେନ୍ଦ୍ର ସରକାର ମୋହର ମାରିଛନ୍ତି ।

ଏହାସହ ଯେଉଁ ମହିଳାମାନେ ଏବେ ସ୍ତନ୍ୟପାନ କରାଉଛନ୍ତି, ସେମାନେ ମଧ୍ୟ ଟିକା ନେଇପାରିବେ ବୋଲି ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଟିକା ନେବା ପାଇଁ ବାରଣ କରାଯାଉଥିଲା । ଯେଉଁମାନେ କରୋନାରେ ସଂକ୍ରମିତ ହୋଇ ଆଇସିୟୁ କିମ୍ବା ଭେଣ୍ଟିଲେଟରକୁ ଯିବା ପରେ ସୁସ୍ଥ ହୋଇଛନ୍ତି, ସେମାନଙ୍କୁ ମଧ୍ୟ ସୁସ୍ଥ ହେବା ପରେ ୪-୮ ସପ୍ତାହ ଟିକା ନେବାକୁ ଅପେକ୍ଷା କରିବାକୁ ପଡ଼ିବ ।

ସେହିପରି ଟିକା ନେବା ପୂର୍ବରୁ କୌଣସି ବ୍ୟକ୍ତିଙ୍କର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟର ସ୍କ୍ରିନିଂ କରାଯିବ ନାହିଁ ବୋଲି ପ୍ରସ୍ତାବରେ କୁହାଯାଇଛି । ଅନ୍ୟପଟେ ଟିକା ନେବାର ୧୪ ଦିନ ପରେ ଜଣେ ବ୍ୟକ୍ତି ରକ୍ତଦାନ ମଧ୍ୟ କରିପାରିବେ ବୋଲି ମଧ୍ୟ କୁହାଯାଇଛି । ଏହି ସବୁ ନୂଆ ପ୍ରସ୍ତାବ ବଢ଼ୁଥିବା କରୋନା ସଂକ୍ରମଣକୁ ଅନୁଧ୍ୟାନ କରି ଏବଂ ବୈଜ୍ଞାନିକ ଅନୁସନ୍ଧାନକୁ ଭିତ୍ତି କରି ଦିଆଯାଇଥିବା ଜଣାପଡ଼ିଛି । ବିଶେଷଜ୍ଞ କମିଟିର ଏହି ପ୍ରସ୍ତାବକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟଗୁଡିକୁ ପଠାଇ ଦିଆଯାଇଛି ।

 

You might also like