ଲୋମହର୍ଷକ ଥିଲା ଅନ୍ଧାର ରାତିରେ ଗଲୱାନ ଘାଟିର ସେଇ ସଂଘର୍ଷ; ଜାଣନ୍ତୁ ପୁରା କାହାଣୀ

ନୂଆଦିଲ୍ଲୀ: ଲଦାଖ ସୀମାରେ ଦୁଇ ଦେଶ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉତ୍ତେଜନା ଲାଗି ରହିଛି। ଜୁନ୍ ୧୫ ତାରିଖ ରାତିରେ ହୋଇଥିବା ଏହି ଭୟଙ୍କର ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। ଅନ୍ଧାର ରାତିରେ ସେଇ ସଂଘର୍ଷକୁ ନେଇ ଅନେକ ତଥ୍ୟ ଏବେ ସାମ୍ନାକୁ ଆସୁଛି। ବିଶେଷ କରି ଆମ ବୀର ଯବାନଙ୍କ ସାହାସିକତାର ଅନେକ କଥା ଶୁଣିବାକୁ ମିଳୁଛି।

ଏହି ସଂଘର୍ଷରେ ସହିଦ ହୋଇଥିବା କଣ୍ଣେଲ ସନ୍ତୋଷ ବାବୁ ଭାରତୀୟ ସେନାର ନେତୃତ୍ୱ ନେଉଥିଲେ। ଚୀନ ସେନା ସହ କଥାବାର୍ତ୍ତ କରିବା ପାଇ ଚେଷ୍ଟା କରୁଥିବାବେଳେ ସେ ବିନମ୍ର ଥିଲେ କିନ୍ତୁ ଦୃଢ ଥିଲେ। ଚୀନ ସେନା ପଥର ମାଡ କରିବା ପରେ କଣ୍ଣେଲ ବାବୁ ଗୁରୁତର ହୋଇପଡ଼ିଥିଲେ ସତ, କିନ୍ତୁ ସେଠାରୁ ହଟି ନ ଥିଲେ। ବରଂ ନିଜ ଟିମକୁ ନେତୃତ୍ୱ ଦେବା ସହ ସାହସର ସହ ପରିସ୍ଥିତିକୁ ସାମ୍ନା କରିଥିଲେ।

‘ଇଣ୍ଡିଆ ଟୁଡେ’ ପକ୍ଷରୁ ଲେହ, ଥଂଗାଷ୍ଟେରେ ମୁତୟନ ଥିବା ଅଫିସରଙ୍କ ସହ ଆଲୋଚନା କରାଯାଇଥିଲା। ଆଲୋଚନାବେଳେ ଚମକାଇ ଦେବା ପରି ତଥ୍ୟ ସାମ୍ନାକୁ ଆସିଛି। ସନ୍ତୋଷ ବାବୁଙ୍କ ସାହାସିକତାର କାହାଣୀ ଶୁଣିଲେ ପ୍ରତ୍ୟେକ ଭାରତୀୟ ତାଙ୍କୁ ସଲାମ କରିବେ।

ଗଲୱାନ ନଦୀ କୂଳରେ ଭାରତ ସୀମାରେ ଚୀନ ଏକ ଅସ୍ଥାୟୀ ପୋଷ୍ଟ କରିଥିଲା। ଏହାକୁ ହଟାଇବା ପାଇଁ ଦୁଇ ଦେଶ ସେନା ମଧ୍ୟରେ ଆଲୋଚନା ପରେ ସହମତି ପ୍ରକାଶ ପାଇଥିଲା। ଆଲୋଚନାର କିଛ ଦିନ ପରେ ଚୀନ ଏହି ପୋଷ୍ଟକୁ ହଟାଇ ଦେଇଥିଲା ମଧ୍ୟ। ଘଟଣାଦିନ ୧୬ ବିହାର ବାଟାଲିଅନର କମାଣ୍ଡାଣ୍ଟ ଅଫିସର କଣ୍ଣେଲ ସନ୍ତୋଷ ବାବୁ ଚୀନ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା ମଧ୍ୟ କରିଥିଲେ।

ଜୁନ୍‌ ୧୪ ତାରିଖ ବିଳମ୍ବିତ ରାତିରେ ପୁଣି ସେହି ସ୍ଥାନରେ ଚୀନ ତାର ପୋଷ୍ଟ ତିଆରି କରିଥିଲା। ୧୫ ଜୁନ୍ ସନ୍ଧ୍ୟା ୫ଟାରେ କଣ୍ଣେଲ ସନ୍ତୋଷ ବାବୁ ଏହା ଦେଖି ଏକ ଟିମ୍‌ ସହ ନିଜେ କ୍ୟାମ୍ପ ପାଖକୁ ଯାଇ ଆଲୋଚନା କରିବା ପାଇଁ ଠିକ୍‌ କରିଥିଲେ। ତେବେ ଏହି ପୋଷ୍ଟକୁ ନେଇ ୧୬ ବିହାର ବାଟାଲିଅନରେ ମାହୋଲ ସରଗରମ ଥିଲା। ଯବାନମାନେ ଏହି ପୋଷ୍ଟକୁ ସଠାରୁ ଉଡ଼ାଇ ଦେବାକୁ କହୁଥିଲେ। ହେଲେ କଣ୍ଣେଲ ବାବୁଙ୍କ ବିଚାର ଭିନ୍ନ ଥିଲା। ଶାନ୍ତି ଭଙ୍ଗ କରିବାକୁ ସେ ଚାହୁଁ ନ ଥିଲେ।

 

୩୫ ଜଣ ଯବାନଙ୍କୁ ନେଇ କର୍ଣ୍ଣଲ ବାବୁ ଚାଲି ଚାଲି ଉକ୍ତ ପୋଷ୍ଟ ନିକଟକୁ ଯାଇଥିଲେ।  ଦୁଇ ଜଣ ମେଜର ମଧ୍ୟ ତାଙ୍କ ସହ ଥିଲେ। ଉକ୍ତ କ୍ୟାମ୍ପରେ ପହଞ୍ଚିବା ପରେ ସେଠାରେ ଚୀନ ସେନାଙ୍କର ହାବଭାବ କିଛି ଅଲଗା ଥିବା ଭାରତୀୟ ଯବାନ ଅନୁଭବ କରିଥିଲେ।

କର୍ଣ୍ଣଲ ବାବୁ ପୁଣି ଏଠାରେ କାହିଁକି ପୋଷ୍ଟ କଲ ବୋଲି ପଚାରିବା କ୍ଷଣି  ଚୀନ ସେନାର ଜଣେ ଯବାନ ସାମ୍ନାକୁ ଆସି କର୍ଣ୍ଣଲ ବାବୁଙ୍କୁ ଏକ ଧକ୍କା ଦେଇଥିଲା। ସେତିକି ନୁହେଁ, ଜଣେ ଅଫିସର ସହ କଥାବାର୍ତ୍ତା କରିବାର ଭଦ୍ରାମୀ ବି ଚୀନ ସେନା ରଖି ନ ଥିଲେ। ଚୀନ ଭାଷାରେ ଗାଳିଗୁଲଜ ମଧ୍ୟ କରୁଥିଲେ।

ଭାରତୀୟ ସେନା ଏହାକୁ ବିରୋଧ କରିବା ସହ ପ୍ରତି ଆକ୍ରମଣ କରିଥିଲେ। ମୁଥ ମରାମରି ଏବଂ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ସେ ପର୍ଯ୍ୟନ୍ତ କେହି ହତିଆର ବ୍ୟବହାର କରି ନ ଥିଲେ। ୩୦ ମିନିଟ କାଳ ଏପରି ଚାଲିବା ପରେ ଦୁଇ ପକ୍ଷର ସେନା ଆହତ ହୋଇଥିଲେ। ଏହି ସମୟରେ ଭାରତୀୟ ସେନା ଚୀନର ଏହି ପୋଷ୍ଟକୁ ନଷ୍ଟ କରି ଦେଇଥିଲେ।

ତେବେ ଚୀନର ଏପରି ଆଚରଣ ଦେଖି ସନ୍ତୋଷ ବାବୁ କିଛି ବଡ଼ ଧରଣର ଦୁର୍ଘଟଣାର ଆଶଙ୍କା କରି ନେଇଥିଲେ। କାରଣ ସେଠାରେ ନିୟମିତ ଚୀନି ସେନାଙ୍କ ସହ ଅନ୍ୟ ସେନାମଧ୍ୟ ଥିଲେ। ସେ ଆହତ ଭାରତୀୟ ସେନାଙ୍କୁ ଫେରି ଯିବାକୁ କହିବା ସହ ପୋଷ୍ଟର ଅନ୍ୟ ସେନାଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭାରତୀୟ ଯବାନଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଥିବାବେଳେ ସନ୍ତୋଷ ବାବୁ ତାଙ୍କୁ ଶାନ୍ତ କରି  ରଖିଥିଲେ।

କର୍ଣ୍ଣଲ ବାବୁ ଏବଂ ତାଙ୍କ ଟିମ୍ କେତେକ ଚୀନ ଯବାନଙ୍କୁ କବ୍‌ଜା କରି ନେଇଥିଲେ। ଏପରିକି ସେମାନଙ୍କୁ ଧରି ଏଲ୍ଏ‌ସି ପାର କରି ଚୀନ ସେନାଙ୍କ ପାଖକୁ ଯାଇଥିଲେ। ଭାରତୀୟ ଟିମ୍‌ ଏହି ଯବାନଙ୍କୁ ଚୀନ ଅଧିକାରୀଙ୍କ ପାଖରେ ଦେବା ପାଇଁ ଚାହୁଁଥିଲେ। ଏଥିସହିତ ଆଉ ଅଧିକ ଚୀନ ସେନା ଅଛନ୍ତି କି ନାହିଁ ତାହା ମଧ୍ୟ ଜାଣିବା ପାଇଁ ଚାହୁଁଥିଲେ।

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଆମ ଯବାନମାନେ ଆକ୍ରମଣାତ୍ମକ୍‌ ମୁଡ୍‌ରେ ଥିଲେ। ସେତେବେଳକୁ ଗଲବାନ ଘାଟିରେ ଅନ୍ଧକାର ଛାଇ ଯାଇଥିଲା ।

କଣ୍ଣଲ ବାବୁ ଯାହା ଅନୁମାନ କରୁଥିଲେ ତାହା ସତ ହୋଇଥିଲା। ଚୀନର କିଛି ନୂଆ ସୈନିକ ନଦୀର ଦୁଇ କୁଳରେ ପୋଜିସନ ନେଇ ଅପେକ୍ଷା କରିଥିଲେ। ଏହାବ୍ୟତୀତ ଡାହାଣ ପଟେ କିଛି ସେନା ପୋଜିସନ ନେଇ ଛିଡା ହୋଇଥିଲେ। ଭାରତୀୟ ସେନା ପହଞ୍ଚିବା ପରେ ସେମାନେ ପଥର ବର୍ଷା କରିଥିଲେ। ରାତି ପ୍ରାୟ ୯ଟାବେଳେ ଏକ ବଡ ପଥର କର୍ଣ୍ଣଲ ବାବୁଙ୍କ ମୁଣ୍ଡରେ ବାଜିଥିଲା ଏବଂ ସେ ଗଲବାନ ନଦୀ ଭିତରକୁ ଖସି ପଡ଼ିଥିଲେ।

ଦୁଇ ଦେଶର ସେନାଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ କାଳ ସଂଘର୍ଷ ଚାଲିଥିଲା। ରାତିର ଅନ୍ଧକାର ମଧ୍ୟରେ ଏହି ଚାଲିଥିବା ଏହି ଯୁଦ୍ଧରେ ଅନେକ ଯବାନ ସହିଦ ହୋଇଥିଲେ। ତେବେ ଏହି ଯୁଦ୍ଧର ବିଶେଷତ୍ୱ ଏହା ଯେ, ସୀମାର ଆରପଟେ ଏହି ସଂଘର୍ଷ ଚାଲିଥିଲା। ସଂଘର୍ଷ ଦଳ ଦଳ ମଧ୍ୟରେ ହୋଇଥିଲା। ପ୍ରାୟ ୩୦୦ ଲୋକ ପରସ୍ପର ସହ ଲଢୁଥିଲେ। ସଂଘର୍ଷ ଶେଷ ହେବା ବେଳକୁ ଦୁଇଦେଶର ଅନେକ ସୈନିକ ଗଲବାନ ନଦୀ ଭିତରକୁ ଘସି ପଡ଼ିଥିଲେ। ଏଥିରେ ଭାରତର କମାଣ୍ଡିଂ ଅଫିସର ବି ଥିଲେ।

ସଂଘର୍ଷ ବେଳେ ଚୀନ ଲୁହା ତାର ଗୁଡା ହୋଇଥିବା ଛଡ, ଲାଠି ବ୍ୟବହାର କରିଥିଲା। ରାତି ପ୍ରାୟ ୧୧ଟା ବେଳକୁ ସ୍ଥିତି ଶାନ୍ତ ହୋଇଥିଲା। ଦୁଇ ଦେଶର ସୈନିକ ନିଜ ନିଜ ଯବାନମାନଙ୍କୁ ନଦୀରୁ ଉଠାଇ ଆଣିବାକୁ ଲାଗିଥିଲେ।

ରାତି ୧୧ଟା ପରେ ପୁଣି ଥରେ ଆରମ୍ଭ ହୋଇଥିଲା ତୃତୀୟ ଦଫା ସଂଘର୍ଷ। ଏହି ସଂଘର୍ଷ ଅର୍ଦ୍ଧରାତି ପର୍ଯ୍ୟନ୍ତ ଚାଲିଥିଲା। ଏଥର ସଂଘର୍ଷ ଚୀନ ସୀମାରେ ହୋଇଥିଲା। ସାମ୍ନାସାମ୍ନି ହାତହାତି ହୋଇଥିଲେ ଦୁଇ ଦେଶର ନେତା। ଉତ୍ତ୍ୟକ୍ତ ଭାରତୀୟ ସେନା ଯେମିତି ଚୀନ ସେନା ଉପରକୁ ମାଡ଼ି ଆସିଥିଲେ। ହେଲେ ଏହି ଇଲାକା ଅତ୍ୟନ୍ତ ତୀଖ ହୋଇଥିବାରୁ ଅନେକ ସେନା ନଦୀ ଭିତରକୁ ଖସି ପଡ଼ିଥିଲେ।

ଖସିବା ସମୟରେ ଅନେକ ପଥର ଦେହରେ ମାଡ ହୋଇ ରକ୍ତାକ୍ତ ହୋଇ ଯାଇଥିଲେ। ଏହାପରେ ଦୁଇ ଦେଶର ସ୍ୱାସ୍ଥ୍ୟକର୍ମୀମାନେ ପହଞ୍ଚି ଆହତ ସେନାଙ୍କର ଚିକିତ୍ସା କରିଥିଲେ। ସେହି ଅନ୍ଧାରରେ ଦୁଇ ଦେଶ ମୃତାହତ ସେନାଙ୍କୁ ପ୍ରତ୍ୟର୍ପଣ କରିଥିଲେ।

 

ଆହୁରି ପଢ଼ନ୍ତୁ

You might also like