ପାଙ୍ଗଙ୍ଗ ତଟରୁ ହଟିବେ ଭାରତ ଓ ଚୀନ୍ ସୈନ୍ୟ !

ନୂଆଦିଲ୍ଲୀ: ପୂର୍ବ ଲଦାଖ ସ୍ଥିତ ପାଙ୍ଗଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ତଟରୁ ଭାରତ ଓ ଚୀନ୍ ସୈନ୍ୟ ପ୍ରତ୍ୟାହାର କରୁଛନ୍ତି। ଏନେଇ ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟ ବିବୃତି ଜାରି କରିଥିଲେ ମଧ୍ୟ, ଭାରତ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଉଭୟ ଦେଶର ନବମ କୋର୍ କମାଣ୍ଡର ସ୍ତରୀୟ ବୈଠକରେ ହୋଇଥିବା ସହମତି ଅନୁସାରେ ଫେବୃଆରୀ ୧୦ ଠାରୁ ସୈନ୍ୟ ପ୍ରତ୍ୟାହାର କରାଯାଉଛି। ସମକାଳୀନ ଓ ବ୍ୟବସ୍ଥିତ ଭାବେ ଭାରତ ଓ ଚୀନ୍ ଆଗଧାଡ଼ିର ସୈନ୍ୟଦଳଙ୍କୁ ପ୍ରତ୍ୟାହାର ଆରମ୍ଭ କରିଛନ୍ତି।

ଗଲଓ୍ୱାନ ଘାଟି ସଂଘର୍ଷ ପରେ ଗତବର୍ଷ ମେ ମାସରୁ ଉଭୟ ଦେଶ LACରେ ସାମରିକ ଗତିବିଧି ଜୋରଦାର କରିଥିଲେ। ବାରମ୍ବାର ସାମରିକ ଓ କୂଟନୈତିକ ଆଲୋଚନା ସତ୍ତ୍ୱେ ସ୍ଥିତିରେ ସେଭଳି ସୁଧାର ଆସିନଥିଲା। ବିବାଦର ସମାଧାନ ପାଇଁ ଜାନୁଆରୀ ୨୪ରେ ମଲ୍‌ଡୋ ଠାରେ ନବମ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ ବସିଥିଲା। ସେପଟେ ଭିଏତ୍‌ନାମ ସୀମା ନିକଟରେ ଚୀନ୍ ନିଜର ଏକ ସରଫେସ୍-ଟୁ-ଏୟାର୍ ମିଜାଇଲ୍ ବେସ୍ ସ୍ଥାପନ କରିଥିବା ଆଶଙ୍କା କରାଯାଉଛି। ଏହି କ୍ଷେପଣାସ୍ତ୍ର ଘାଟିର ସାଟେଲାଇଟ୍ ଇମେଜ୍ ସାଉଥ ଚାଇନା ସି ନିଉଜ୍ ନାମକ ଏକ ସଂସ୍ଥା ଟୁଇଟ୍ କରିବା ପରେ, ଚୀନ୍‌ର ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଭିଏତନାମ ସୀମା ଠାରୁ ମାତ୍ର ୨୦ କିଲୋମିଟର ଦୂର ଗୁଆନ୍‌ଟି ପ୍ରଦେଶରେ ଏହି ମିଜାଇଲ୍ ବେସ୍ ତିଆରି ହୋଇଛି। ଏହାଠାରୁ ଅଳ୍ପ ଦୂରରେ ଏକ ହେଲିକପ୍ଟର ବେସ୍ ମଧ୍ୟ ତିଆରି ହୋଇଥିବା ଦେଖିବାକୁ ମିଳିଛି। ସାଟେଲାଇଟ ଫଟୋରେ ରାଡାର୍, ୬ଟି ଲଞ୍ଚର୍ ଏବଂ ଗୋଟିଏ ମିଲିଟାରୀ ରନ୍‌ୱେ ଦେଖିବାକୁ ମିଳୁଛି। ଏସବୁର ସତ୍ୟାସତ୍ୟ ଯାଞ୍ଚ କରାଯିବ ବୋଲି ଭିଏତନାମ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି।

ଦୀର୍ଘ ୬ ମାସ ହେଲାଣି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଭାରତୀୟ ବାୟୁ ସେନାର ଶକ୍ତି ବୃଦ୍ଧି ଯୋଗୁଁ ଚୀନ୍ ବାୟୁସେନା ଭୟଭୀତ ଅବସ୍ଥାରେ ରହିଛି। ଯଦି କୌଣସି ମୂହୁର୍ତ୍ତରେ ଭାରତ ଆକ୍ରମଣ କରି ଦିଏ, ତେବେ ହାରିବା ନିଶ୍ଚିତ ବୋଲି ଜାଣି ସାରିଛି ଚୀନ। ଏଥି ପାଇଁ ଶକ୍ତିଶାଳୀ ରାଫେଲ ଆକ୍ରମଣକୁ ଏଡାଇବା ପାଇଁ ଚୀନ୍ ବର୍ତ୍ତମାନ ନୂଆ ପ୍ରକାର ହ୍ୟାଙ୍ଗର ନିର୍ମାଣ କରୁଛି। ଯେଉଁଠାରେ ତିଆରି ହୋଇପାରିବ ଯୁଦ୍ଧ ଜାହାଜ। ଏହା ସହ ଏୟାର ଷ୍ଟ୍ରିପକୁ ମଧ୍ୟ ଅପଡେଟ୍ କରିବା ଯୋଜନା ରଖିଛି। ଏସବୁ କାମ ପାଇଁ ଚୀନ୍ ପଡୋଶୀ ପାକିସ୍ତାନର ସାହାଯ୍ୟ ନେଉଛି। ବାଲାକୋଟ ଏୟାର ଷ୍ଟ୍ରାଇକରୁ ଶିକ୍ଷା ଗ୍ରହଣ କରି ଚୀନ୍ ପରିବର୍ତ୍ତନ କରୁଛି ବୋଲି ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି।

You might also like