ବଲିଉଡକୁ ଘାରିଛି ଏନସିବି ଡର

କରନ ଜୋହରଙ୍କୁ ଜେରା କରିଛି ଏନସିବି

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ଲିଙ୍କ ଘଟଣାରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ପଞ୍ଝା କଷିବାରେ ଲାଗିଛି। ଡ୍ରଗ୍ସ ମାମଲାରେ ସାମିଲ ଅଭିଯୋଗରେ ଅନେକ ସେଲିବ୍ରିଟିଙ୍କୁ ଜେରା ପରେ ଏବେ ପ୍ରଖ୍ୟାତ ପ୍ରଯୋଜକ କରନ ଜୋହରଙ୍କୁ ଜେରା କରିଛି ଏନସିବି। କରନଙ୍କ ପୂର୍ବରୁ ତାଙ୍କ ପ୍ରଯୋଜନା ସଂସ୍ଥା ଧର୍ମା ପ୍ରଡକସନର ୨ କର୍ମଚାରୀଙ୍କୁ ଜେରା କରିଥିଲା ଏନସିବି। ଏବେ କରନଙ୍କୁ ଜେରା କରିଛି ।ତେବେ କରନଙ୍କ ସହ ନାର୍କୋଟିକ୍ସ ବ୍ୟୁରୋର ସ୍କାନରକୁ ଆସିଛନ୍ତି ଅଭିନେତା ଅର୍ଜ୍ଜୁନ ରାମପାଲ୍।

ଆଳୁ ଖୋଳୁ ଖୋଳୁ ମହାଦେବ ଭଳି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରୁ ଫିଟିବାରେ ଲାଗିଛି ବଲିଉଡର ଏ ଅନ୍ଧାରୀ ଦିଗ। ଡ୍ରଗ୍ସ କନେକ୍ସନରେ ଏନସିବି ସ୍କାନରକୁ ଆସୁଛନ୍ତି ଜଣଙ୍କ ପରେ ଜଣେ ସେଲିବ୍ରିଟି। ଅଭିନେତା ଅର୍ଜୁନ ରାମପାଲଙ୍କୁ ଥରେ ୭ ଘଂଟାର ଜେରା ସରିଥିବା ବେଳେ, ପୁଣି ପଚରାଉଚରା ପାଇଁ ତାଙ୍କୁ ଡାକିଛନ୍ତି ନାର୍କୋଟିକ୍ସ ଅଧିକାରୀ। ଏଥିପାଇଁ ଡିସେମ୍ବର ୨୨ ଯାଏଁ ସମୟ ମାଗିଛନ୍ତି ଅର୍ଜୁନ ରାମପାଲ। ଅର୍ଜୁନଙ୍କ ବାନ୍ଦ୍ରା ଘରେ ରେଡ୍ କରି କିଛି ନିଷିଦ୍ଧ ଔଷଧ ଜବତ କରିବା ସହ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କ ଭାଇଙ୍କୁ ଗିରଫ କରିଛି ଏନସିବି।

ଗଂଜେଇ ନେଉଥିବା ଅଭିଯୋଗରେ କିଛି ଦିନ ତଳେ କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ବି ଗିରଫ କରିଥିଲା ଏନସିବି। ପରେ ଉଭୟଙ୍କୁ ଜାମିନ ମିଳିଛି। ଭାରତୀଙ୍କ ଘରୁ ଏନସିବି ଗଂଜେଇ ଜବତ କରିଥିବା ବେଳେ ମାମଲାର ଖୋଳତାଡ଼ ଜାରି ରହିଛି। ଗତକାଲି କରନ ଜୋହରଙ୍କୁ ଡାକରା ମିଳିଥିବା ବେଳେ, ପୂର୍ବରୁ ଧର୍ମା ପ୍ରଡକ୍ସନର କର୍ମଚାରୀ ଅନୁଭବ ଚୋପ୍ରା ଓ କ୍ଷୀତିଜ ରବି ପ୍ରସାଦ ବି ଜେରାର ସମ୍ମୁଖୀନ ହୋଇଛନ୍ତି।

ବଲିଉଡକୁ ବଡ ଝଟକା ଲାଗିଥିଲା ଯେତେବେଳେ ଏନସିବି ସ୍କାନରକୁ ଆସିଥିଲେ ବି-ଟାଉନର ଆଗଧାଡିର ତିନି ତିନି ଜଣ ନାୟିକା। ଦୀପିକା ପାଦୁକୋନ, ସାରା ଅଲ୍ଲି ଖାନ ଏବଂ ଶ୍ରଦ୍ଧା କପୁର ଘଂଟା ଘଂଟା ଧରି ସାମ୍ନା କରିଥିଲେ ଏନସିବି ଜେରାର। ସେହିପରି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ବାନ୍ଧିସାରିଛି ଏନସିବି। ଘରେ ଗଂଜେଇ ରଖିବା ଅଭିଯୋଗରେ ପ୍ରଯୋଜକ ଫିରୋଜ ନଦିଆଦୱାଲାଙ୍କ ପତ୍ନୀ ସବାନା ସଇଦଙ୍କୁ ଗିରଫ କରାଯାଇଥିଲା। ଏବେ ତାଲିକାରେ ଆହୁରି ଅନେକ ବଡ ବଡ ଷ୍ଟାରଙ୍କ ନାଁ ଆସିବା ଆଶଙ୍କା କରାଯାଉଛି ।

You might also like