• translate
Prangyan Parimita

ଗାନ୍ଧୀନଗର : ପ୍ରାଣଘାତୀ ମହାମାରୀ କରୋନାକୁ ମାତ୍ ଦେବାପରେ ଦାଉ ସାଧୁଛି ବ୍ଲାକ୍ ଫଙ୍ଗସ୍ ରୋଗ । କରୋନା ସଂକ୍ରମଣ ଭୟ ଭିତରେ ପାଞ୍ଚମାସ ହେବ ବ୍ଲାକ୍ ଫଙ୍ଗସ୍ ସହ ଅନବରତ ସଂଘର୍ଷ କରୁଛନ୍ତି ରାଜକୋଟ୍ ନିବାସୀ ବିମଲ୍ ଯୋଶୀ । ମ୍ୟୁକରମାକୋସିସ୍ ବା ବ୍ଲାକ୍ ଫଙ୍ଗସରେ ପୀଡିତ ହୋଇଥିବା ବେଳେ ତାଙ୍କ ଶରୀରରେ ତୀବ୍ର ବେଗରେ ସଂକ୍ରମଣ ହେଉଛି । ଏହି ରୋଗରୁ ରକ୍ଷା ପାଇବା ପାଇଁ ୩୯ ଇଞ୍ଜେକ୍ସନ୍ ନେଇସାରିଲେଣି , ତଥାପି କିଛି ସୁଫଳ ମିଳୁନି । କେବଳ ଏତିକି ନୁହେଁ ଏବେ ସୁଦ୍ଧା ୬ ଥର ସର୍ଜରୀ ହୋଇସାରିଥିବା ବେଳେ ସେ ଏବେ ସପ୍ତମ ସର୍ଜରୀ ଅପେକ୍ଷାରେ ଅଛନ୍ତି ।

୨୦୨୦ ନଭେମ୍ବର ମାସରେ କରୋନାରେ ସଂକ୍ରମିତ ହୋଇଥିଲେ ବିମଲ୍ । କରୋନାର ଶିକାର ହେବାପରେ ୧୫ ଦିନ ଧରି ତାଙ୍କର ଚକିତ୍ସା ଚାଲିଥିଲା । ଏହି ସମୟରେ ତାଙ୍କୁ ଅକ୍ସିଜେନ ଓ ଷ୍ଟେରଏଡ଼୍ ଦିଆଯାଇଥିଲା । ଆଉ ଚକିତ୍ସାର କିଛି ଦିନ ପରେ କରୋନାରୁ ସୁସ୍ଥ ହୋଇଥିଲେ ବିମଲ । ହେଲେ କିଛି ଦିନ ପରେ ତାଙ୍କ ନାକରୁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଚିହ୍ନଟ ହୋଇଥିଲା । ସଂକ୍ରମଣ ଜଣାପଡ଼ିବା ପରେ ନାକ ପାଖରେ ସର୍ଜରୀ କରାଯାଇଥିଲା । ହେଲେ ସର୍ଜରୀ ପରେ ବି ଭଲ ହୋଇନଥିଲା ରୋଗ । ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଆଖି ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଆଖି ନିକଟରେ ସଂକ୍ରମଣ ପହଞ୍ଚିବା ପରେ ପୁଣି ଥରେ ସର୍ଜରୀ କରାଯାଇଥିଲା । ବାରମ୍ୱାର ସର୍ଜରୀ  ପରେ ବି ଏବେ ବ୍ଲାକ୍ ଫଙ୍ଗସ୍ ବିମଲଙ୍କ ମସ୍ତିସ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଛି, ଯଦ୍ୱାରା ତାଙ୍କର ନ୍ୟୁରୋ ସର୍ଜରୀ କରାଯିବ ।

ସଂକ୍ରମଣ ଯୋଗୁଁ ୫ ମାସ ହେଲା ହସ୍ପିଟାଲରେ ଅଛନ୍ତି ବିମଲ । ବ୍ଲାକ୍ ଫଙ୍ଗସରେ ହୋଇଥିବା ସର୍ଜରୀ ପାଇଁ ସମସ୍ତ ଜମାପୁଞ୍ଜି ଶେଷ ହୋଇସାରିଥିବା କହିଛନ୍ତି ବିମଲଙ୍କ ସ୍ତ୍ରୀ । ଏବେ ସୁଦ୍ଧା ବିମଲଙ୍କର ଲାପ୍ରୋସ୍କୋପି, ବ୍ରେନ୍ ସର୍ଜରୀ, ଫୋରହେଡ୍ ସର୍ଜରୀ କରାଯାଇଛି । ଚକିତ୍ସା ପାଇଁ ଏବେ ୫ ମାସରେ ସୁଦ୍ଧା ୪୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି । ଅନ୍ୟପଟେ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଘର ବିକ୍ରି କରି ଦେଇଛନ୍ତି ବିମଲଙ୍କ ସ୍ତ୍ରୀ । ଏବେ ଆହୁରି ୧୦ରୁ ୧୫ ଲକ୍ଷ ଟଙ୍କା ସର୍ଜରୀ ପାଇଁ ଦରକାର ଅଛି । ହାତରେ ଟଙ୍କାଟିଏ ନଥିବା ବେଳେ ସର୍ଜରୀ କିପରି କରାଇବେ ସେଥିପାଇଁ ପରିବାର ଲୋକ ଚିନ୍ତାରେ ଅଛନ୍ତି ।

Other Stories