କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରି ପାରନ୍ତି ୟେଦ୍ଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି ହିଁ ନୂଆ ସରକାର ଗଠନ ହୋଇପାରେ। ସଂଧ୍ୟା ୬ ଟା ସୁଦ୍ଧା ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ବି.ଏସ୍. ୟେଦ୍ଦୁରପ୍ପା ଶପଥ ଗ୍ରହଣ କରି ପାରନ୍ତି ବୋଲି ଜଣାପଡ଼ିଛି। କିଛି ସମୟ  ତଳେ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ୟେଦ୍ଦୁରପ୍ପା ସରକାର ଗଠନର ଦାବି ଜଣାଇଛନ୍ତି। ତାଙ୍କ ପାଖରେ ବହୁମତ ଥିବା ସେ ରାଜ୍ୟପାଳଙ୍କୁ ଜଣାଇଛନ୍ତି।

ଗତକାଲି ରାତିରେ ୩ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତି ଦଳ ବଦଳ ଆଇନ୍‌ ଅନୁସାରେ ସଭ୍ୟ ପଦ ରଦ୍ଦ କରିବା ପରେ ସରକାର ଗଠନ ପାଇଁ ବିଜେପି ତତ୍ପରତା ଦେଖାଇଛି। ଯଦି ୟେଦ୍ଦୁରପ୍ପା ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଚତୁର୍ଥ ଥର ପାଇଁ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ।  ଆଗରୁ ୟେଦ୍ଦୁରପ୍ପା ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ଗୋଟିଏ ଥର ମଧ୍ୟ ସମ୍ପୂର୍ଣ୍ଣ ୫ ବର୍ଷ ପୂରଣ କରିପାରି ନାହାନ୍ତି।

ବର୍ତ୍ତମାନ କର୍ଣ୍ଣାଟକ ବିଧାନସଭାରେ ବିଜେପିର ୧୦୫ ବିଧାୟକ ଅଛନ୍ତି। ୨ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି। ତେବେ ବିଦ୍ରୋହୀ ବିଧାୟକଙ୍କ ଭାଗ୍ୟ କ’ଣ ହେବ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।  କଂଗ୍ରେସର ୧୩ ବିଧାୟକ ଓ ଜେଡିଏସ୍‌ର ୩ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଭାଙ୍ଗି ଥିଲା।

You might also like