କାର୍ରେ କୋକେନ୍ ଆଣୁଥିବା ବେଳେ ବିଜେପି ଯୁବ ନେତ୍ରୀ ଗିରଫ
କୋଲାକାତା: ନିଜ କାର୍ରେ ଡ୍ରଗ୍ସ ଆଣୁଥିବା ଅଭିଯୋରେ କୋଲକାତାର ବିଜେପି ଯୁବ ନେତ୍ରୀଙ୍କୁ ଗିରଫ କଲା ପୋଲିସ୍। ଗିରଫ ନେତ୍ରୀଙ୍କ ନାଁ ପାମେଲା ଗୋସ୍ୱାମୀ। ଶୁକ୍ରବାର ସେ ନିଜ କାର୍ରେ କୋକେନ୍ ନେଇଯାଉଥିବା ବେଳେ ତାଙ୍କୁ ଗିରଫ କରିଛି କୋଲକାତା ପୋଲିସ୍। ଏଥିସହିତ ପାମେଲାଙ୍କ ବନ୍ଧୁ ପ୍ରବୀର କୁମାର ଦେଙ୍କୁ ମଧ୍ୟ କୋଲାତାର ନ୍ୟୁ ଅଲିପୁର ଏରିଆ ଏନ୍ଆର୍ ଏଭିନ୍ୟୁରୁ ଗିରଫ କରାଯାଇଛି। ପାମେଲା କାର୍ରେ ଯାଉଥିବା ବେଳେ ତାଙ୍କର ସାଙ୍ଗରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଥିଲେ।
ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ପାମେଲା ଅନେକ ସମୟରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ନିଜ ଗାଡ଼ି ଛିଡ଼ା କରନ୍ତି। ଏ ଘଟଣା ସମ୍ପର୍କରେ ପୂର୍ବରୁ ପୋଲିସ ଅବଗତ ଥିଲା। ତେଣୁ ପୋଲିସ ପାମେଲାଙ୍କ ଗତିବିଧି ଉପରେ ନଜର ରଖିଥିଲା। ପାମେଲା କାର୍ରେ କୋକିନ ଆଣିବେ ବୋଲି ପୋଲିସ ପାଖରେ ପୂର୍ବରୁ ସୂଚନା ପହଞ୍ଚି ସାରିଥିଲା। ଘଟଣା ସ୍ଥଳରେ ପହଞ୍ଚି ପାମେଲାଙ୍କ କାର୍ ଅଟକାଇ ସର୍ଚ୍ଚ ଆରମ୍ଭ କରିଥିଲା ପୋଲିସ୍। ପାମେଲାଙ୍କ ବ୍ୟାଗ୍ ଚେକ୍ କରିବାରୁ ତାଙ୍କ ବ୍ୟାଗରୁ ନିଶାଦ୍ରବ୍ୟ ମିଳିଥିବା ସୂଚନା ମିଳିଛି।
ବର୍ତ୍ତମାନ ପଶ୍ଚିମବଙ୍ଗରେ ନିର୍ବାଚନ ତାତି ଦେଖିବାକୁ ମିଳିଛି। ବିଜେପି ହେବି ୱେଟ୍ ନେତାମାନେ ଘନଘନ ବଙ୍ଗ ଗସ୍ତ କରି ମମତାଙ୍କ ବିରୋଧର ରଣହୁଙ୍କାର ଦେଉଛନ୍ତି। ଅନ୍ୟପଟେ ପାର୍ଟିରେ ଗ୍ଲାମର ଆକର୍ଷଣ ପାଇଁ କେତେବେଳେ ବିଜେପିର ତ ଆଉ କେତେବେଳେ ଟିଏମ୍ସିର ଯୋଗ ଦେଉଛନ୍ତି ଟଲିଉଡ୍(ପଶ୍ଚିମବଙ୍ଗ ଫିଲ୍ମ ଇଣ୍ଡଷ୍ଟ୍ରୀ) ଅଭିନେତା ଓ ଅଭିନେତ୍ରୀ। ନିକଟରେ ଅଭିନେତା ହିରନ ଚାଟାର୍ଜୀ ବିଜେପିରେ ସାମିଲ ହୋଇଥିବା ବେଳେ ଟିଏମ୍ସି ଏମ୍ପି ନୁସ୍ରତ ଜାହାଁଙ୍କ ନିକଟ ବନ୍ଧୁ ଜଶ ଦାଶଗୁପ୍ତା, ଓ ଅନ୍ୟ ୫ କଳାକାର ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି।
ଅନ୍ୟପଟେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ମିଥୁନ ଚକ୍ରବର୍ତ୍ତୀଙ୍କୁ ଭେଟିବା ପରେ ମିଥୁନ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ତେବେ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାକୁ କିନ୍ତୁ ଖଣ୍ଡନ କରିଛନ୍ତି ମିଥୁନ। ପୂର୍ବରୁ ସମ୍ପର୍କ ଯୋଗୁ ଭାଗବତ ତାଙ୍କୁ ଭେଟବାକୁ ଆସିଥିଲେ ବୋଲି ମିଥୁନ ଗଣମାଧ୍ୟମକୁ କହିଛନ୍ତି।
ସେହିପରି ଟିଏମ୍ସିର ମଧ୍ୟ ଟାଣୁଆ ଅଭିନେତା ଅଭିନେତ୍ରୀ ଯୋଗ ଦେଉଛନ୍ତି। ନିକଟରେ ଭେଟେରାନ ଆକ୍ଟର ଦୀପଙ୍କର ଦେ ଟିଏମ୍ସିରେ ଯୋଗ ଦେଇଥିଲେ। ସେହିପରି ଜାନୁଆରୀ ୨୫ ତାରିଖରେ ଇମ୍ପା ଅଧ୍ୟକ୍ଷା ପିୟା ସେନ୍ଗୁପ୍ତା ଓ ଅଭିନେତ୍ରୀ କୁଶାନୀ ମୁଖାର୍ଜୀ ମଧ୍ୟ ମମତାଙ୍କ ଦଳରେ ସାମିଲ ହୋଇଥିଲେ।
ଅନ୍ୟପଟେ ୪ ବର୍ଷ ତଳର ପୁରୁଣା କଥାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନୋଟିସ୍ କରିଛନ୍ତି ଏକ ସ୍ୱତନ୍ତ୍ର କୋର୍ଟ। ୨୦୧୮ ଅଗଷ୍ଟ ୧୧ ତାରିଖରେ ବିଜେପିର ଯୁବ ସମାବେଶରେ ଯୋଗ ଦେଇ ଶାହ ମମତା ବାନାର୍ଜୀଙ୍କୁ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଲଗାଇଥିଲେ। ଏହାପରେ ଅଗଷ୍ଟ ୨୮ ତାରିଖରେ ସାସଂଦ ଶାଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଏହି ଘଟଣାରେ ଗୁରୁବାର କୋର୍ଟ ଶାହଙ୍କୁ ନୋଟିସ୍ କରି ବ୍ୟକ୍ତିଗତ କିମ୍ବା ଓକିଲ ଜରିଆରେ ହାଜର ହୋଇ ମତ ରଖିବାକୁ କହିଛନ୍ତି।