ମମତା ସରକାର ପରେ ବଙ୍ଗରେ ଦୂରେଇ ଯାଇଛି ବିକାଶ: ଶାହ

ବଙ୍ଗରେ ବିଜେପି ବିଜୟ ହେବ

କୋଲକତା: ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଚାଲିଛି ବିଧାନସଭା ନିର୍ବାଚନ। କିନ୍ତୁ ଏବେ ସମସ୍ତଙ୍କର ପଶ୍ଚିମବଙ୍ଗ ଉପରେ ନଜର ରହିଛି। କାରଣ ଏଠାରେ ମୋଦି-ଦିଦିଙ୍କର ଜବରଦସ୍ତ ଫାଇଟ୍‌ ହେଉଛି। କିଏ କେତେ ଆସନରେ ବିଜୟ ହେବ ସେନେଇ ନିତିଦିନ ଅଙ୍କକଷା ବି ଚାଲିଛି। ଆଉ କେତେବେଳେ ଦିଦି କହୁଛନ୍ତି ପୁଣି ଥରେ ଟିଏମସି ସରକାର କରିବ ତ ଆଉ କେତେବେଳେ ଅମିତ ଶାହା କହୁଛନ୍ତି ଏଥର ବଙ୍ଗରେ ପଦ୍ମ ଫୁଟିବ ବୋଲି। ଆଉ ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଏଥର ନିର୍ବାଚନ ବଙ୍ଗରେ ପରିବର୍ତ୍ତନ ନିଶ୍ଚୟ ଆଣିବ। ଏଥର ଆଉ ମମତା ଦିଦିଙ୍କ ଉପରେ ଲୋକମାନେ ବିଶ୍ୱାସ କରୁନାହାନ୍ତି, ବିକାଶ ପାଇଁ ମୋଦି ସରକାରଙ୍କୁ ଭୋଟ୍‌ ଦେଇ ବିଜୟ କରାଇବା ଲାଗି ଲୋକମାନେ ନିଷ୍ପତ୍ତି ନେଇଛନ୍ତି ବୋଲି ଶାହା କହିଛନ୍ତି।

ଏହାସହ  ଘରୋଇ ନ୍ୟୁଜ୍‌ ଚ୍ୟାନେଲକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଅମିତ ଶାହା କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତିନିଟି ପର୍ଯ୍ୟାୟରେ ମତଦାନ କରାଯାଇଥିବା ୯୧ଟି ଆସନ ମଧ୍ୟରୁ ୬୫ରୁ ୬୮ଟି ଆସନରେ ଦଳର ପ୍ରାର୍ଥୀମାନେ ବିଜୟୀ ହେବେ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ହିଁ ବିଜୟର ମୁକୁଟ ପିନ୍ଧିବ ଓ ସରକାର ଗଠନ କରିବ।

ଆଜି ସିଙ୍ଗୁରରେ ଦଳ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ଶାହା। ଯାହାକି ଏକଦା ତୃଣମୂଳ କଂଗ୍ରେସ ଦ୍ୱାରା ପରିଚାଳିତ ଜମି ଅଧିଗ୍ରହଣ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ରହିଥିଲା। ୨୦୦୭ରେ ଟାଟା ମୋଟର୍ସ ଏହାର ବହୁଚର୍ଚ୍ଚିତ ଛୋଟ କାର ନାନୋ ଉତ୍ପାଦନ ପାଇଁ କାରଖାନା ସ୍ଥାପନ କରିବା ପାଇଁ ଜମି ଅଧିଗ୍ରହଣ କରିବା ପରେ ମମତା ବାନାର୍ଜୀ ୨୦୦୭ରେ ସିଙ୍ଗୁରରେ ଏହାକୁ ବିରୋଧ କରି ଏକ ଅଭିଯାନ ଆରମ୍ଭ ଏହାର ନେତୃତ୍ୱ ନେଇଥିଲେ। ଫଳରେ, କମ୍ପାନି ଏହାର ପ୍ରସ୍ତାବିତ କାରଖାନାକୁ ସିଙ୍ଗୁରରୁ ଗୁଜୁରାଟକୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲା।

କେବଳ ଏତିକି ନୁହେଁ ମଧ୍ୟ ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ମମତା ସରକାର ଆସିବା ପରେ ସିଙ୍ଗୁରରେ ବିକାଶ ଧିମେଇ ଯାଇଛି। କିନ୍ତୁ ବିଜେପି ସରକାର ଗଠନ କରିବା ପରେ ପୁଣି ଏଠାରେ ଆରମ୍ଭ ହୋଇଯିବ ଦ୍ରୁତ ବିକାଶ। ନିର୍ବାଚନରେ ଜିତିବା ପରେ ସେ କହିଛନ୍ତି ଯେ କୋଲକାତା ଏବଂ ନୂଆଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନିକଟରେ ଅବସ୍ଥିତ ସିଙ୍ଗୁରରେ କ୍ଷୁଦ୍ର, ମଧ୍ୟମ ଏବଂ ବୃହତ ଶିଳ୍ପ ପ୍ରତିଷ୍ଠା ହେବ। ତେବେ ଶାହାଙ୍କ ଏପରି ପ୍ରତକ୍ରିୟାରେ ଟିଏମସିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You might also like